ଫସଲ କ୍ଷୟକ୍ଷତି ଜନିତ ସୂଚନା ଦେବା ଅବଧିକୁ ବଢ଼ାଇଛନ୍ତି ରାଜ୍ୟ ସରକାର
ରାଜ୍ୟରେ ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତି ଜନିତ ସୂଚନା ଦେବା ଅବଧିକୁ ରାଜ୍ୟ ସରକାର ବଢ଼ାଇଛନ୍ତି । ଫସଲ ବୀମାଭୁକ୍ତ ଚାଷୀମାନେ କ୍ଷତିଗ୍ରସ୍ତ ଚାଷୀମାନେ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ବୀମା କମ୍ପାନୀମାନଙ୍କୁ ଫସଲ କ୍ଷତି ସମ୍ପର୍କରେ ସୂଚନା ଦେଇ ପାରିବେ । ପୂର୍ବରୁ ଡିସେମ୍ବର ୨୯ ଥିଲା ଶେଷ ତାରିଖ ଥିବାବେଳେ ଆଉ ତିନି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ରାଜ୍ୟ ସରକାର କେନ୍ଦ୍ର କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରାଳୟକୁ ଏହି ଅବଧି ବଢାଇବାକୁ ଅନୁରୋଧ କରିଥିଲେ । ଚାଷୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମୟ ବୃଦ୍ଧି ପାଇଁ ଅନୁମତି ପ୍ରଦାନ କରିଛନ୍ତି । ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ଚାଷୀମାନେ ଫସଲ କ୍ଷତିର ସମ୍ମୁଖୀନ ହୋଇଥିବାରୁ ରାଜ୍ୟ ସରକାର କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସହାୟତା ଦେବାପାଇଁ ଯୋଜନା କରିଛନ୍ତି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୈଠକ କରିବା ସହିତ ନୟାଗଡ, ଗଜପତି ଓ ଗଞ୍ଜାମ ଜିଲ୍ଲା ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଛନ୍ତି । ଅନ୍ୟ ମନ୍ତ୍ରୀମାନେ ମଧ୍ୟ କ୍ଷତିଗ୍ରସ୍ତ ଅଞ୍ଚଳକୁ ଗସ୍ତ କରିଛନ୍ତି । ଉଭୟ ବୀମା କରିନଥିବା ଓ ବୀମା କରିଥିବା ଚାଷୀମାନଙ୍କୁ ସହାୟତା ଦିଆଯିବ । ବୀମା କରିଥିବା ଚାଷୀମାନଙ୍କୁ ଫସଲ କ୍ଷତି ସମ୍ପର୍କରେ ସୂଚନା ଦେବା ଆଉ ତିନି ଦିନ ସମୟ ଦିଆଯାଇଛି ।
ଚାଷୀମାନେ କୃଷି ରକ୍ଷକ ଆପ୍ ଓ ଟୋଲ୍ ଫ୍ରି ନମ୍ବର-୧୪୪୪୭କୁ ମିସ୍ କଲ କରି ନିଜର ନାମ ପଞ୍ଜିକରଣ କରିପାରିବେ । କେବଳ ମିସ୍ କଲ ଆସିଲେ ନାମ ପଞ୍ଜିକରଣ ହୋଇଗଲା ବୋଲି କୃଷିମାନେ ଜାଣିପାରିବେ । ନିଜେ ନାମ ପଞ୍ଜିକରଣ କରିବା ସହିତ ଅନ୍ୟକୁ ଅବଗତ କରାଇବାକୁ ଅନୁରୋଧ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଓଡିଶାର ଚାଷୀମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କର ଏହି ସହାନୁଭୂତିଶୀଳ ମନୋଭାବ ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।