ରାଜ୍ୟ ସରକାର ଖୁବଶୀଘ୍ର ଆଣିବାକୁ ଯାଉଛନ୍ତି କୃଷି ନୀତି ।

ରାଜ୍ୟ ସରକାର ଖୁବଶୀଘ୍ର ଆଣିବାକୁ ଯାଉଛନ୍ତି କୃଷି ନୀତି । ଯେଉଁଥିରେ ଜୈବିକ ଚାଷ ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ଆଉ ଓଡ଼ିଶାରେ କୃଷି ଉତ୍ପାଦନ ବୃଦ୍ଧି କରିବା ଲାଗି ପଦକ୍ଷେପ ନିଆଯିବ । ଖାଲି ସେତିକି ନୁହେଁ, ବିଦେଶରେ ଚାଦିବା ଥିବା ଖାଦ୍ୟଶସ୍ୟର ଉତ୍ପାଦନ ବଢାଇବା ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରାଯିବ ବୋଲି ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ।ତେବେ “ଆଡଭାନ୍ସିଂ ଇନକ୍ଲୁସିଭ ଆଗ୍ରିକଲଚରାଲ ଟ୍ରାନ୍ସଫର୍ମେସନ ଇନ୍ ଓଡ଼ିଶା” ଶୀର୍ଷକ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ । ସେ କହିଛନ୍ତି ଯେ, ଅତ୍ୟଧିକ ରାସାୟନିକ ସାର ବ୍ୟବହାର ଦ୍ଵାରା ଲୋକଙ୍କ ସ୍ବାସ୍ଥ୍ୟ ଖରାପ ହେଉଛି । ତେଣୁ ବର୍ତ୍ତମାନ ସମୟରେ ଅଧିକରୁ ଅଧିକ ଜୈବିକ କୃଷି ପ୍ରତି ଚାଷୀ ମାନଙ୍କୁ ଆକୃଷ୍ଟ କରିବାକୁ ପଡ଼ିବ । ଚାଷୀଙ୍କୁ ନିରନ୍ତର ଜଳସେଚନ ସୁବିଧା ଯୋଗାଇ ଦେଲେ ସେମାନଙ୍କ ଉତ୍ପାଦନ ବଢ଼ିବା ସହ ଆୟ ବୃଦ୍ଧି ପାଇବ । ଏହାଦ୍ବାରା ଦାଦନ ସମସ୍ୟା ମଧ୍ୟ ଦୂର ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ସୂଚନା ମୁତାବକ, ଏହି ନୂଆ କୃଷି ନୀତିରେ ବିଦେଶରେ ଚାହିଦା ଥିବା ଖାଦ୍ୟ ଶସ୍ୟ ଉତ୍ପାଦନ ବଢ଼ାଇବା ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରାଯିବ ସହ ଚାଷୀଙ୍କ ଉତ୍ପାଦିତ ସାମଗ୍ରୀକୁ ବୈଦେଶିକ ବଜାରକୁ ପଠାଇବା ପାଇଁ ବ୍ୟବସ୍ଥା କରିବେ ସରକାର । ଏଥିପାଇଁ କାର୍ଗୋ ଫ୍ଲାଇଟର ମଧ୍ୟ ବ୍ୟବହାର ହେବା ଦରକାର ବୋଲି ନିଜର ମତ ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ।ଏଥିସହ ସରକାର ଗାଈ, ଛେଳି, କୁକୁଡ଼ା ଆଦି ଚାଷୀଙ୍କୁ ସହାୟତା ଯୋଗାଇ ଦେଉଛନ୍ତି । ତେବେ ଚାଷୀଙ୍କୁ ପଶୁ ସମ୍ପଦ ଉତ୍ପାଦନ ବୃଦ୍ଧି ପାଇଁ ସଚେତନ କରିବାକୁ ପଡ଼ିବ ବୋଲି ମନ୍ତ୍ରୀ କହିଛନ୍ତି । ତେଣୁ କୃଷି ସମ୍ବନ୍ଧିତ ସବୁ ବିଭାଗର ମିଳିତ ଉଦ୍ୟମରେ ନୂଆ କୃଷି ନୀତି ଆଣିବେ ସରକାର । ଯେଉଁଥିପାଇଁ IFPRI, CGARI ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆୟୋଜିତ ଏହି କର୍ମଶାଳାରେ ବିଶେଷଜ୍ଞ ମାନଙ୍କ ମତାମତ ନିଆଯାଇଛି । କର୍ମଶାଳାରେ ବିଭିନ୍ନ ଦେଶ ଏବଂ ଗବେଷଣା ସଂସ୍ଥାରୁ ବିଶେଷଜ୍ଞ ମାନେ ଯୋଗ ଦେଇଥିଲେ ।

Related Articles

Back to top button