୧୨୦ ବର୍ଷ ପରେ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ କଢ଼ାଯିବ ବାଲି

କୋଣାର୍କ: ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ୧୨୦ ବର୍ଷ ପରେ ବାଲି କାଢ଼ିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଭାରତୀୟ ପ୍ରତ୍ନତତ୍ୱ ବିଭାଗ ଓ ଏକ ଘରୋଇ ସଂସ୍ଥାର ମିଳିତ ଉଦ୍ୟମରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡିଛି। ଏହି ବାଲି କାଢ଼ିବା କାର୍ଯ୍ୟରେ ଲିଫ୍ଟ ବ୍ୟବହାର ସହ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରାଯିବ ବୋଲି ଜଣାପଡିଛି। ପ୍ରାଥମିକ ପର୍ଯ୍ୟାୟରେ ଲିଫ୍ଟ ପ୍ଲାଟଫର୍ମ ସହ ମନ୍ଦିରର ଉତ୍ତର-ପଶ୍ଚିମ କୋଣରେ ରାସ୍ତା ତିଆରି ଆରମ୍ଭ ହୋଇଛି। ମନ୍ଦିର ଭିତରୁ ସମ୍ପୂର୍ଣ୍ଣ ବାଲି କାଢ଼ିବା ପାଇଁ ପ୍ରାୟ ୩ ବର୍ଷରୁ ଅଧିକ ସମୟ ଲାଗିବ ବୋଲି ସୂଚନା ମିଳିଛି।

୧୯୦୩ ମସିହାରେ ସୂର୍ଯ୍ୟ ମନ୍ଦିର ଗର୍ଭଗୃହ ଉପର ଭାଗରୁ ପଥର ଖସୁଥିବାରୁ ଇଂରେଜ ସରକାର ଗର୍ଭଗୃହ ମଧ୍ୟରେ ବାଲି ଭର୍ତ୍ତି କରିବା ସହ ସମସ୍ତ ଦ୍ୱାରକୁ ବନ୍ଦ କରିଦେଇଥିଲେ। ତେବେ ୨୦୧୧ରେ ମନ୍ଦିର ସୁରକ୍ଷା ସମ୍ପର୍କିତ ଏକ କର୍ମଶାଳାରେ ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ମତ ପ୍ରକାଶ ପାଇଥିଲା। ସୂଚନା ଅନୁଯାୟୀ ବାଲି କାଢ଼ିବା ନିମନ୍ତେ ଲିଫ୍ଟ ସଂଯୋଗ ପାଇଁ ୪ଟି ଲୌହ ଖମ୍ବ ନିର୍ମାଣ ହେବାକୁ ଥିବା ବେଳେ ଗୋଟିଏ ଲୌହ ଖମ୍ବ ନିର୍ମାଣ ସରିଛି। ଘରୋଇ ସଂସ୍ଥା ଦ୍ୱାରା ଲିଫ୍ଟ ସ୍ଥାପନ ପରେ ଏଏସଆଇ ଦ୍ୱାରା କୁଶଳୀ କାରିଗରଙ୍କ ଦ୍ୱାରା ଗର୍ଭଗୃହର ଉପର ଭାଗରେ ଡ୍ରିଲ କରାଯାଇ ବାଲି କଢ଼ାଯିବ।

Related Articles

Back to top button