ରାଜ୍ୟର ୧୫ଟି ସହରର ତାପମାତ୍ରା ୨୦ ଡିଗ୍ରି ତଳେ

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିଗଲା ପରେ ଶୀତ ଆସିଛି। ଗୁରୁବାର ରାଜ୍ୟର ଅନେକ ସ୍ଥାନରେ ରାତିର ତାପମାତ୍ରା ୨୦ ଡିଗ୍ରୀ ତଳକୁ ଖସିବା ସହ ଶୀତ ଅନୁଭୂତ ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଓଡ଼ିଶାର ୧୫ଟି ସହରର ତାପମାତ୍ରା ୨୦ ଡିଗ୍ରି ତଳେ ରହିଛି।

କୋରାପୁଟ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୧୪.୨ ଡିଗ୍ରୀ ସେଲସିୟସକୁ ଖସିଆସିଛି। ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ରାତିର ତାପମାତ୍ରା ୧୬ଡିଗ୍ରୀ ଥିବା ବେଳେ ବୌଦ୍ଧ, ସୋନପୁର ଓ ଫୁଲବାଣୀରେ ତାପମାତ୍ରା ୧୭ଡିଗ୍ରୀ ରହିଛି। ଭୁବନେଶ୍ୱର ଓ କଟକ ସହରର ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୨୧.୧ ଓ ୨୦.୬ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ବିଟ୍ କରି କହିଛି, ୩୦ ଅକ୍ଟୋବର ଯାଏଁ ରାଜ୍ୟରେ ପାଗ ମୁଖ୍ୟତ ଶୁଖିଲା ରହିବାର ସମ୍ଭାବନା ଥିବାବେଳେ ୩୧ତାରିଖ ବେଳକୁ ବଙ୍ଗୋପସାଗର ଅଞ୍ଚଳରୁ ପୂର୍ବାଳୀବାୟୁ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଜପତି, ରାୟଗଡା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

ପାଣିପାଗ ସମ୍ପର୍କରେ ଅଧିକ ସୂଚନା ଦେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି ଯେ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ରାଜ୍ୟରେ ଶୁଖିଲା ପାଗ ରହିବ। ଏଥିସହିତ ଦିନ ଓ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି କୁହାଯାଇଛି।

Related Articles

Back to top button