
କଂଗ୍ରେସ ପାଇଁ ଆନ୍ଦୋଳନକୁ କୋହଳ କରି ଜନତାଙ୍କୁ ହନ୍ତସନ୍ତ କରିବାକୁ ନେଇ ତେଜିଛି ରାଜନୀତି
ରାଜ୍ୟ ଡ୍ରାଇଭର ମହାସଂଘର ଦୋମୁହାଁ ନୀତି ଏବେ ପଦାରେ ପଡ଼ିଛି । କଂଗ୍ରେସ ପାଇଁ ଆନ୍ଦୋଳନକୁ କୋହଳ କରି ଜନତାଙ୍କୁ ହନ୍ତସନ୍ତ କରିବାକୁ ନେଇ ତେଜିଛି ରାଜନୀତି । ଏଥିରୁ ରାଜନୈତିକ ଗନ୍ଧ ସ୍ପଷ୍ଟ ବାରି ହୋଇପଡ଼ୁଛି । ରାଜ୍ୟ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଥିବାବେଳେ ସଂଘ ଆଗାମୀ ଦିନରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରଖିବ ବୋଲି ଘୋଷଣା କରିଛି । ଅନ୍ୟପକ୍ଷରେ ଡ୍ରାଇଭର ସଂଘର ଏଭଳି ନିଷ୍ପତ୍ତିକୁ ଟ୍ରକ୍ ମାଲିକ ସଂଘ ତୀବ୍ର ବିରୋଧ କରିଛି । ଡ୍ରାଇଭର ସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଛି ଟ୍ରକ୍ ସଂଘ । ଗତକାଲି ସହିଦନଗର ଥାନା ଅଞ୍ଚଳର ଜଣେ ଟ୍ରକ୍ ଡ୍ରାଇଭରଙ୍କୁ ମାଡ଼ ମରାଯିବା ଘଟଣାରେ ଥାନାରେ ମାମଲା ରୁଜୁ ହୋଇଛି ।
ପରିବହନ ମନ୍ତ୍ରୀ କହିଛନ୍ତି ଯେ ନିରୀହ ସରଳ ଡ୍ରାଇଭରମାନଙ୍କୁ ଭ୍ରମିତ କରାଯାଇ ଆନ୍ଦୋଳନ କରାଯାଉଛି । ସେମାନଙ୍କ ସହିତ ଆଲୋଚନା କରାଯାଉଛି । ତେଣୁ ଡ୍ରାଇଭରମାନେ ଅଯଥା ହଇରାଣ ନ ହୁଅନ୍ତୁ କିମ୍ବା କାହା କଥାରେ ପଥ ଭ୍ରଷ୍ଟ ନ ହେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଆନ୍ଦୋଳନ ଯୋଗୁଁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି । କିନ୍ତୁ ଆନ୍ଦୋଳନ ଯେତିକି ପ୍ରଭାବିତ ହେବା କଥା ସେତିକି ପ୍ରଭାବଶାଳୀ ନୁହେଁ । ପରିବହନ ସେବା ସୁରୁଖରେ ମଧ୍ୟ ଚାଲିଛି । ତେଣୁ ଆନ୍ଦୋଳନରୁ ଓହରିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି ।