ନୂଆ ରୂପରେ କେନ୍ଦୁଝର ବଡ଼ଦାଣ୍ଡ

ଆଗାମୀ ରଥଯାତ୍ରାରେ ଏକ ନୂଆ ରୂପରେ କେନ୍ଦୁଝର ବଡ଼ଦାଣ୍ଡ ଝଲସିବ

କୋଭିଡ୍‌ ପାଇଁ ବଡ଼ଦାଣ୍ଡକୁ ଆସି ନ ଥିବା କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ ଚଳିତ ବର୍ଷ ରଥରେ ବସିବେ। ଦେବସ୍ନାନ ନୀତି ପରେ ଶ୍ରୀଜୀଉମାନେ ଏବେ ଅଣସର ଘରେ ଅଛନ୍ତି। ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଏବେ ଦୃତ ଗତିରେ ଆଗେଇ ଚାଲିଛି। ଆଗାମୀ ରଥଯାତ୍ରାରେ ଏକ ନୂଆ ରୂପରେ କେନ୍ଦୁଝର ବଡ଼ଦାଣ୍ଡ ଝଲସିବ ବୋଲି ପରିକଳ୍ପନା କରାଯାଇଛି। ବଡ଼ଦାଣ୍ଡ, ପାରିପାର୍ଶ୍ୱିକ ଉନ୍ନୟନ ଓ ସୌନ୍ଦଯର୍‌ୟକରଣ ପାଇଁ ଯୋଜନାବଦ୍ଧ ଭାବେ ପ୍ରକଳ୍ପ ପ୍ରସ୍ତୁତ କରାଯାଇ ଏହି କାର୍ଯ୍ୟ ଆଗାମୀ ରଥଯାତ୍ରା ପୂର୍ବରୁ ଶେଷ କରାଯିବ ବୋଲି କେନ୍ଦୁଝର ଉପଜିଲାପାଳ ତଥା ମନ୍ଦିରର ନିର୍ବାହୀ ଅଧିକାରୀ ରାମଚନ୍ଦ୍ର କିସ୍କୁ ପ୍ରକାଶ କରିଛନ୍ତି।
ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ ସ୍ବରୂପ ବିଭିନ୍ନ ପ୍ରକାର ଫୁଲର ଚିତ୍ର, ପାରମ୍ପରିକ କଳା, ବଡ଼ଦାଣ୍ଡ ପାର୍ଶ୍ୱ ଲାଇଟ ପୋଷ୍ଟରେ ବଳଦେବଜୀଉଙ୍କର ବିଭିନ୍ନ ବେଶର ପଟ୍ଟଚିତ୍ର ପ୍ରଦର୍ଶନ, ଉଭୟ ପାର୍ଶ୍ୱରେ ପାଦ ଚଲା ରାସ୍ତା, ପାଠାଗାରର ବିକାଶ, ମୁକ୍ତକାଶ ଅବସର ବିନୋଦନ ବ୍ୟବସ୍ଥା, ବଡ଼ଦାଣ୍ଡ ପାର୍ଶ୍ୱରେ ଏକକ କଳାକୃତି ପ୍ରଦର୍ଶନ, ବଡ଼ଦାଣ୍ଡ ପାର୍ଶ୍ୱରେ ଭକ୍ତିଭାବନା ସୃଷ୍ଟିକାରୀ ବାତାବରଣ ଓ ଆଲୋକୀକରଣ ବ୍ୟବସ୍ଥା ତଥା ଆନୁସଙ୍ଗିକ ବିକାଶ କରାଯିବା ସହିତ ଓ ବଡ଼ଦାଣ୍ଡ କିପରି ନୂଆ ରୂପରେ ଝଲସିବ ସେଥିନେଇ ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ୍ୟ ଯେ, କେନ୍ଦୁଝରର ରାଷ୍ଟ୍ରଦେବତା ବଳଦେବଜୀଉଙ୍କ ସମେତ ଦେବୀ ସୁଭଦ୍ରା ଓ ଜଗନ୍ନାଥ ଗୋଟିଏ ରଥରେ ବିରାଜମାନ କରି ମାଉସୀ ମା’ ମନ୍ଦିରକୁ ଯାଇଥାନ୍ତି। ବଡ଼ଠାକୁର ବଳଦେବ ହେଲେ ମଧ୍ୟ ରଥର ନାମ ନନ୍ଦିଘୋଷ ରହି ଆସିଛି। ଶ୍ରୀ ବଳଦେବଜୀଉଙ୍କ କାଷ୍ଟ ନିର୍ମିତ ରଥ ସମଗ୍ର ପୃଥିବୀରେ ସର୍ବୋଚ୍ଚ ରଥର ମାନ୍ୟତା ଲାଭ କରିଛି। ଯାହାର ସ୍ବୀକୃତି ସ୍ବରୁପ ଗିନିଜ ବୁକ୍‌ ଅଫ୍‌ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଛି। ଏହା ଜିଲା, ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବର କଥା ା ଏହା ପୂର୍ବରୁ ଶ୍ରୀ ବଳଦେବଜୀଉଙ୍କ ରଥ ନନ୍ଦିଘୋଷ ନ୍ୟାସନାଲ ରେକର୍ଡସ,ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ,ଏସିଆ ପାସିଫିକ ଆଇକନ,ଗ୍ଲୋବାଲ ରେକର୍ଡସ,ୱଣ୍ଡର ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇସାରିଛି। ଏହି ରଥର ଉଚ୍ଚତା ୭୪ଫୁଟ ଏବଂ ଗୋଲେଇ ୪୫ଫୁଟ ହୋଇଥିବାବେଳେ ଏଥିରେ ପ୍ରାୟ ୮ଫୁଟ ଉଚ୍ଚର ୧୬ଟି ଚକ ଲାଗିଛି।

Related Articles

Back to top button