ରାଜ୍ୟ ସରକାରଙ୍କ ନିଜସ୍ୱ ସମ୍ବଳରେ ହେବ ମେଟ୍ରୋ ଟ୍ରେନ ପ୍ରକଳ୍ପ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: ଓଡିଶା ଦିବସରେ ମୁଖ୍ୟମନ୍ତ୍ରୀ ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ମେଟ୍ରୋ ଟ୍ରେନ ପ୍ରକଳ୍ପର ନିର୍ମାଣ କାମ ଆସନ୍ତା ଅଗଷ୍ଟ ୧୫ ତାରିଖରୁ ଆରମ୍ଭ ହେବ। ମେଟ୍ରୋ ରେଳ ପ୍ରକଳ୍ପ ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ସମ୍ବଳରେ ନିର୍ମାଣ ହେବ। ଏହି ମେଟ୍ରୋ ରେଳ ପ୍ରକଳ୍ପ ବିଶ୍ୱସ୍ତରୀୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଜି ଉତ୍କଳ ଦିବସ ଅବସରରେ ଘାେଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି  ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମେଟ୍ରୋ ରେଳ ପ୍ରକଳ୍ପ ଏକ ବହୁତ ବଡ଼ ପଦକ୍ଷେପ। ଏହି ପ୍ରକଳ୍ପର ଡିପିଆର ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ ହେବ। ଏଥି ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏଲିଭେଟେଡ ପ୍ରସ୍ତାବ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାର ଏବେ ଭୁବନେଶ୍ୱରରୁ, କଟକ, ପୁରୀ ଓ ଖୋର୍ଦ୍ଧାକୁ ମେଟ୍ରୋ ରେଳ ପ୍ରକଳ୍ପ ସଂଯୋଗୀକରଣ ପାଇଁ ଆଗେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଥମେ ଏହି ମେଟ୍ରୋ ଟ୍ରେନ୍‌  କଟକରୁ ଭୁବନେଶ୍ବରକୁ ସଂଯୋଗ କରିବ। ପରେ ଏହା ପୁରୀ ଓ ଖୋର୍ଦ୍ଧାକୁ ସଂପ୍ରସାରିତ ହେବ। ପ୍ରଥମ ପର୍ଯ୍ୟାୟରେ ତ୍ରିଶୁଳିଆଠାରୁ  ନନ୍ଦନକାନନ, ପଟିଆ, ବାଣୀବିହାର, ମୁଖ୍ୟରେଳ ଷ୍ଟେଶନ ଦେଇ ବି ଜୁ ପଟ୍ଟନାୟକ ବିମାନ ବନ୍ଦର ପର୍ଯ୍ୟନ୍ତ ସଂଯାେଗ କରିବ  ।

ଶନିବାର ସକାଳ ୪ଟା ୩୦ମିନିଟ ସମୟରେ ଭୁବନେଶ୍ୱର ବିମାନ ବନ୍ଦର ଛକରୁ ସଚିବ ସ୍ତରୀୟ କମିଟି ଏ ନେଇ କ୍ଷେତ୍ର ପରିଦର୍ଶନ ଆରମ୍ଭ କରିଥିଲା । ସଚିବ ସ୍ତରୀୟ କମିଟିରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ 5T ସଚିବ ଭି.କେ ପାଣ୍ଡିଆନଙ୍କ ସମେତ ମନୋଜ ମିଶ୍ର, ଉଷା ପାଢ଼ୀ, ଅନୁ ଗର୍ଗ, ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି ମାଥିଭାଥନାନ ଓ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ସାମିଲ ଥିଲେ। ସୂଚନା ଅନୁସାରେ ଭୁବନେଶ୍ୱର ବିମାନବନ୍ଦର ଛକରୁ ଶିଶୁଭବନ ଛକ, ରାଜମହଲ ଛକ, ମାଷ୍ଟର କ୍ୟାଣ୍ଟିନ, ବାଣୀବିହାର ଛକ, ଜୟଦେବବିହାର ଦେଇ କଳିଙ୍ଗ ହସ୍ପିଟାଲ ଛକ, ପଟିଆ, ନନ୍ଦନକାନନ ଛକ ଦେଇ ତ୍ରିଶୂଳିଆ ଛକରେ ସମସ୍ତ ବରିଷ୍ଠ ଅଧିକାରୀମାନେ ପହଞ୍ଚିଥିଲେ ।

Related Articles

Back to top button