ରାଜ୍ୟ ସରକାରଙ୍କ ତରଫରୁ ସୁଭଦ୍ରା ଯୋଜନାର ୱେବ ପୋର୍ଟାଲର ହୋଇଛି ଶୁଭାରମ୍ଭ

ଏଣିକି ସୁଭଦ୍ରା ଯୋଜନାର ସମସ୍ତ ତଥ୍ୟ ୱେବ ପୋର୍ଟାଲରେ ଉପଲବ୍ଧ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ୱେବ ପୋର୍ଟାଲର ଶୁଭାରମ୍ଭ ହୋଇଛି । ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । ଓଡ଼ିଶା ସରକାରଙ୍କ ଦ୍ୱାରା ଉନ୍ମୋଚନ ହୋଇଥିବା ୱେବ ପୋର୍ଟାଲ ‘subhadra.odisha.gov.in’ ଜରିଆରେ ମହିଳାମାନେ ସମସ୍ତ ସୂଚନା ପାଇ ପାରିବେ । ଏ ନେଇ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ । ଆଉ କେଉଁଠୁ କୌଣସି ଭୁଲ ତଥ୍ୟ ନେଇ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୁଭଦ୍ରା ଯୋଜନାର ପଞ୍ଜିକରଣ ଆରମ୍ଭ ହେବା ପରେ ସୋମବାର ରାଜ୍ୟ ସରକାରଙ୍କ ତରଫରୁ ୱେବ ପୋର୍ଟାଲର ଶୁଭାରମ୍ଭ ହୋଇଛି । ୱେବ ପୋର୍ଟାଲ ‘subhadra.odisha.gov.in’ରେ ସମସ୍ତେ ସବିଶେଷ ତଥ୍ୟ ପାଇ ପାରିବେ । ଏହା ସହିତ ଟୋଲ ଫ୍ରି ନମ୍ବର ୧୪୬୭୮ରେ କଲ କରି ସମସ୍ତ ସନ୍ଦେହ ଦୂର କରି ହେବ । ଏହା ସକାଳ ୬ରୁ ରାତି ୧୦ଟା ଯାଏଁ ଖୋଲା ରହିବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି । ସେପ୍ଟେମ୍ବର ୪ରୁ ସୁଭଦ୍ରା ପାଇଁ ଆବେଦନ କରିବାକୁ ଫର୍ମ ଉପଲବ୍ଧ ହେବ ଏବଂ ରାକ୍ଷୀ ପୂର୍ଣ୍ଣିମାର କିସ୍ତି ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ପ୍ରଦାନ କରାଯିବ । ସେହିପରି ଫର୍ମ ଉଭୟ ଓଡ଼ିଆ ଓ ଇଂରାଜୀରେ ଭାଷାରେ ପୂରଣ କରିହେବ । ସେ ଆହୁରି କହିଛନ୍ତି ଯେ ସୁଭଦ୍ରା ନାଁରେ ଅନେକ ୱେବ ସାଇଡ୍ ଖୋଲିଛି । ତେଣୁ ଭ୍ରମିତ ନ ହୋଇ ସରକାରୀ ୱେବ ପୋର୍ଟାଲ ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି ଶ୍ରୀମତୀ ପରିଡ଼ା । ସେହିପରି ଆଗକୁ ମଧ୍ୟ ସମସ୍ତ ତଥ୍ୟ ଉକ୍ତ ପୋର୍ଟାଲରେ ଉପଲବ୍ଧ ହେବ ବୋଲି ସେ କହିଛନ୍ତି ।

Related Articles

Back to top button