ଭୁବନେଶ୍ୱର ଆରବିଆଇ ଶାଖାରୁ ଚୋରି: ସିସିଟିଭି ଫୁଟେଜରୁ ଜଣାପଡ଼ିଲା ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ସମ୍ପୃକ୍ତି

ଭୁବନେଶ୍ୱର: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ଭୁବନେଶ୍ୱର ଶାଖାରୁ ଚୋରି ହୋଇଥିବା ନେଇ ଗୁରୁତର ଅଭିଯୋଗ ଆସିଛି । ତେବେ ଆରବିଆଇ ଟଙ୍କା ରଖିବାର ସବୁଠାରୁ ନିରାପଦ ସ୍ଥାନ ବୋଲି କୁହାଯାଇଥାଏ । ମାତ୍ର ଆରବିଆଇରୁ ଚୋରି ହେବା ଖବର ଏବେ ରାଜଧାନୀବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଚୋରି ପଛରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ହାତ ରହିଥିବା ଜଣାପଡ଼ିଛି ।

ଆରବିଆଇ ଅଫିସ ଭିତରକୁ ପଶିବାକୁ ହେଲେ ଜଣେ ବ୍ୟକ୍ତିଙ୍କୁ ଅନେକ ପ୍ରକାରର ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ିଥାଏ । ମାତ୍ର କଡ଼ା ସୁରକ୍ଷା ବ୍ୟବସ୍ଥା ପରେ ବି କିପରି ଚୋରି ହେଲା ସେନେଇ ତନାଘନା ଆରମ୍ଭ ହୋଇଥିଲା । ତେବେ ଆରବିଆଇରୁ ଅନ୍ୟ ବ୍ୟାଙ୍କକୁ ଟଙ୍କା ନେବା ପାଇଁ ଗଣା ଚାଲିଥିବା ସମୟରେ ୨୦ ହଜାର ଟଙ୍କା ଚୋରି ହୋଇଥିବା ଜଣାପଡ଼ିଥିଲା । ପରେ ଟଙ୍କା ଚୋରି ସମ୍ପର୍କରେ ଆରବିଆଇ ଆସିଷ୍ଟାଣ୍ଟ ଜିଏମ ଖାରବେଳ ନଗର ଥାନାରେ ଅଭିଯୋଗ ଦାୟର କରିଥିଲେ ।

ତେବେ ପରେ ପୋଲିସ ପକ୍ଷରୁ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଥିଲା । ଏହି ଟଙ୍କା ଚୋରି ପଛରେ ଜଣେ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା । ଗତ ୧୭ ତାରିଖରେ ସେ ଆରବିଆଇର ଟ୍ରେଜେରୀ ଦାୟିତ୍ୱ ରହିବା ସହ ଟଙ୍କା ଗଣି ଅନ୍ୟ ବ୍ୟାଙ୍କକୁ ପଠାଉଥିଲେ । ଉକ୍ତଦିନ କେହି ନଥିବାର ସୁଯୋଗ ନେଇ ସେ ୨୦ ହଜାର ଟଙ୍କା ହାଇ ସିକ୍ୟୁରିଟି ରୁମରୁ କାଢ଼ି ନେଇଥିଲେ । ସେ ଟଙ୍କା କାଢ଼ି ନିଜ ପକେଟରେ ରଖିଥିବା କ୍ୟାମେରାରେ ଦେଖାଯାଇଥିଲା । ପ୍ରଥମେ ସେ ଏହାକୁ ଅଗ୍ରାହ୍ୟ କରିଥିଲେ ହେଁ ଲୋଭରେ ପଡ଼ି ଚୋରି କରିଥିବା ପରେ ମାନିଯାଇଥିଲେ ।

Related Articles

Back to top button