
ଏଣିକି ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ମଧ୍ୟରେ ପେନସନ୍ କୁ ନେଇ କୌଣସି ପକ୍ଷପାତିତା ହେବ ନାହିଁ
ଦେଶର ସର୍ବୋଚ୍ଚ ଅଦାଲତ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏଣିକି ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ମଧ୍ୟରେ କୌଣସି ପକ୍ଷପାତିତା ହେବ ନାହିଁ । ହାଇକୋର୍ଟ ସମସ୍ତ ବିଚାରପତି ସମାନ ପେନସନ୍ ସୁବିଧା ପାଇ ପାରିବେ । ଯେକୌଣସି ତାରିଖରେ ଯୋଗ ଦେଇଥିବା ବିଚାରପତି ଏବଂ ଅତିରିକ୍ତ ବିଚାରପତିମାନେ ପୂର୍ଣ୍ଣ ପେନସନ୍ ପାଇବାକୁ ହକଦାର ବୋଲି ସୁପ୍ରିମକୋର୍ଟ ଏକ ଶୁଣାଣିରେ ସ୍ପଷ୍ଟ କରିଛନ୍ତି ।
ପ୍ରଧାନ ବିଚାରପତି ବି.ଆର୍. ଗବାଇଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାର ଶୁଣାଣି କରି କହିଛନ୍ତି ଯେ ବିଚାରପତିମାନଙ୍କ ମଧ୍ୟରେ ଭେଦଭାବ ସମ୍ବିଧାନର ଧାରା-୧୪ (ସମାନତା ଅଧିକାର)ର ଉଲଘଂନ କରୁଛି । ଖଣ୍ଡପୀଠ କହିଛନ୍ତି ଯେ ବିଚାରପତିଙ୍କ ନିଯୁକ୍ତି ସମୟ କିମ୍ବା ପଦବୀ ଆଧାରରେ ସେମାନଙ୍କ ମଧ୍ୟରେ ଭେଦଭାବ ଏହି ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି । ବିଚାରପତି କେବେ ନିଯୁକ୍ତି ପାଇଛନ୍ତି ଏବଂ ସେମାନେ ଅତିରିକ୍ତ ବିଚାରପତି ଭାବରେ ଅବସର ନେଇଛନ୍ତି କିମ୍ବା ସ୍ଥାୟୀ ବିଚାରପତିଭାବେ ଅବସର ନେଇଛନ୍ତି, ନିର୍ବିଶେଷରେ ସମସ୍ତଙ୍କୁ ପୂର୍ଣ୍ଣ ପେନସନ ପ୍ରଦାନ କରାଯିବ । କେବଳ ସେତିକି ନୁହେଁ ମୃତ ଅତିରିକ୍ତ ହାଇକୋର୍ଟ ବିଚାରପତିଙ୍କ ପରିବାର ମଧ୍ୟ ସ୍ଥାୟୀ ବିଚାରପତିଙ୍କ ପରିବାର ପରି ପେନସନ ଏବଂ ଅବସରକାଳୀନ ସୁବିଧା ପାଇବାକୁ ସମାନ ହକଦାର । ସମ୍ବିଧାନର ଧାରା ୨୦୦କୁ ଯାଞ୍ଚ କରାଯାଇଛି, ଯାହାକି ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିମାନଙ୍କୁ ଦିଆଯାଉଥିବା ପେନସନ ସହିତ ଜଡିତ। ଅବସର ପରେ ଟର୍ମିନାଲ୍ ସୁବିଧା ପାଇଁ ବିଚାରପତିମାନଙ୍କ ମଧ୍ୟରେ ଯେକୌଣସି ପ୍ରକାରର ପକ୍ଷପାତ ଧାରା ୧୪ର ଉଲ୍ଲଂଘନ କରିବ ବୋଲି ଖଣ୍ଡପୀଠ କହିଛନ୍ତି ।