
ରଥଯାତ୍ରା ସମୟରେ ହେବନାହିଁ ବିଦ୍ୟୁତ୍ କାଟ୍
ପୁରୀ ରଥଯାତ୍ରା ବେଳେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଏହାର ତଦାରଖ ପାଇଁ ପୁରୀରେ ୫୦୦କର୍ମଚାରୀ ମୁତୟନ ହୋଇଛନ୍ତି। ଟିପିସିଓଡିଏଲ୍ କମ୍ପାନିର ସିଇଓ ଅରବିନ୍ଦ ସିଂହ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ପୁରୀରେ ସବୁ ଭୂତଳ ୩୩ କେଭି ତାର ଠିକ୍ ଅଛି। ବଡ଼ଦାଣ୍ଡ, ବେଳାଭୂମି ରାସ୍ତା, ଭିଆଇପି ରୋଡ୍ ଓ ଅନ୍ୟ ପ୍ରମୁଖ ସ୍ଥାନରେ ଫିଡର୍ ପିଲାର ବକ୍ସର ପ୍ରତିଷେଧମୂଳକ ବ୍ୟବସ୍ଥା କରାଯାଇଛି । ଉତ୍ତମ ନିରୀକ୍ଷଣ ଓ ସମନ୍ୱୟ ପାଇଁ ପୁରୀ ଡିଭିଜନରେ କାମ କରିବାର ଅଭିଜ୍ଞତା ଥିବା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।
ଯେମିତି କିଛି ଅସୁବିଧା ନ ହୁଏ, ସେଥିପାଇଁ ୩୩ କେଭି ଓ ୧୧ କେଭିର ୧୪ଟି ସବଷ୍ଟେସନର ମରାମତି କରାଯାଇଛି। ଏହା ଦ୍ୱାରା ଶ୍ରୀମନ୍ଦିର, ବଡ଼ଦାଣ୍ଡ, ବେଳାଭୂମି ରାସ୍ତା, ସିଟି ରାସ୍ତା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ହୋଇପାରିବ। ଏହା ସହିତ ବିପଦପୂର୍ଣ୍ଣ ଅଞ୍ଚଳରେ ବାଡ଼ ଦିଆଯିବା ସହିତ ଭୂତଳ କେବୁଲ ନେଟୱର୍କରେ ୨୪ ଘଣ୍ଟା ପାଟ୍ରୋଲିଂ କରାଯାଇଛି ।
ରଥଯାତ୍ରାବେଳେ ବିଦ୍ୟୁତ କାଟ ନ କରିବାକୁ TPCODL ଓ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ପୁରୀ ସହରକୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।