ପଦ୍ମପୁର ଉପନିର୍ବାଚନ ପାଇଁ ୧୩ ଜଣ ପ୍ରାର୍ଥୀପତ୍ର ଦାଖଲ କଲେ

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ଦିନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହିତ ଆଉ କିଛି ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଏହି ହାଇଭୋଲଟେଜ ମୁକାବିଲା ପାଇଁ ମୋଟ୍ ୧୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ରବିବାର ସୁଦ୍ଧା ଚୂଡାନ୍ତ ପ୍ରାର୍ଥୀ ତାଲିକା ଆସିବ ବୋଲି ସୂଚନା ରହିଛି। ଏହି ସମୟରେ ପ୍ରାର୍ଥୀମାନେ ଦାଖଲ କରିଥିବା ନାମାଙ୍କନ ପତ୍ର ଯାଞ୍ଚ ହେବ।

ନାମାଙ୍କନ ପ୍ରକ୍ରିୟା ସାତ ଦିନ ପୂର୍ବରୁ ଆରମ୍ଭ ହୋଇଥିଲା। ହେଲେ କେହି ନାମାଙ୍କନ ପତ୍ର ଦାଖଲ କରିନଥିବା ସୂଚନା ରହିଛି। ହେଲେ ଶେଷ ଦିନରେ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ୧୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବାକୁ ଭିଡ଼ ଜମାଇଥିଲେ। ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ଯାଏ ଚାଲିଥିଲା । ଏନେଇ ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ସୂଚନା ଦେଇଛନ୍ତି।

ପ୍ରଥମେ ଜୟନ୍ତ ଥାପ୍ପା ନାମକ ବ୍ୟକ୍ତି ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହାପରେ ବିଜୁ ଜନତା ଦଳର ପ୍ରାର୍ଥୀ ତଥା ସ୍ୱର୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବଡ଼ ଝିଅ ବର୍ଷା ସିଂ ବରିହା ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ନାମାଙ୍କନ ଦାଖଲ କରିବାକୁ ଯିବା ପୂର୍ବରୁ ଆନ୍ଦୋଳନରେ ବସିଥିବା ଚାଷୀଙ୍କ ଆଶୀର୍ବାଦ ନେଇଥିଲେ ବର୍ଷା। ଏହି ସମୟରେ ବିନା ମଦ ମାଂସରେ ନିର୍ବାଚନ ଲଢି ଏକ ପରମ୍ପରା ତିଆରି କରିବାକୁ ବର୍ଷାଙ୍କୁ ଆହ୍ୱାନ କରିଥିଲେ ଆନ୍ଦୋଳନରେ ବସିଥିବା ଚାଷୀ। ବର୍ଷା ନାମାଙ୍କନ ଦାଖଲ କରିବା ବେଳେ ବିଜେଡିରେ ସେଭଳି କୌଣସି ବଡ ଚେହେରା ପାଖରେ ଥିବା ଦେଖିବାକୁ ମିଳିନଥିଲା।

ବିଜେଡି ପରେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏକ ବିଶାଳ ରାଲିରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ସହ ଆସିଥିଲେ। ଏହି ରାଲିରେ ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ନେତା ନରସିଂହ ମିଶ୍ର, ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ଅଧିରାଜ ପାଣିଗ୍ରାହୀଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ। ସତ୍ୟଭୂଷଣ ସାହୁ ନାମାଙ୍କନ ପତ୍ର ଦାଖଲ କରିବା ପରେ କହିଛନ୍ତି, ପଦ୍ମପୁରବାସୀଙ୍କ ଉପରେ ଭରସା ରହିଛି। ସେମାନେ ନିର୍ବାଚିତ କରାଇବେ ବୋଲି ବିଶ୍ୱାସ ଥିବା କହିଛନ୍ତି।

ଏହାପରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ସୁରେଶ ପୂଜାରୀ, ବିଧାୟକ ଜୟନାରାୟଣ ମିଶ୍ରଙ୍କ ସମେତ ବହୁ ନେତା ଓ କର୍ମୀ ପଦ୍ମପୁର ଉପଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେ ଏହି ଉପନିର୍ବାଚନରେ ବିଜୟୀ ହେବ ବୋଲି ପ୍ରଦୀପ ପୁରୋହିତ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Related Articles

Back to top button