ରାଜ୍ୟରେ ଶୀଘ୍ର କାର୍ଯ୍ୟକ୍ଷମ ହେବ ଆଉ ୩ ମେଡିକାଲ କଲେଜ ଓ ହସ୍‌‌ପିଟାଲ

ଭୁବନେଶ୍ବର : ଚଳିତ ବର୍ଷ ଅକ୍ଟୋବର ମାସରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି, ତାଳଚେର ମେଡିକାଲ କଲେଜ ଓ ହସ୍‌‌ପିଟାଲ। ତାଳଚେର ମେଡିକାଲ କଲେଜ ସମ୍ପର୍କରେ ନିକଟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା ହୋଇଛି। ଯେଉଁଥିରେ ଭିତ୍ତିଭୂମି ନିର୍ମାଣ ଏକ ପ୍ରକାରର ଶେଷ ହୋଇଥିବାବେଳେ ଶିକ୍ଷାଦାନ ଓ ଚିକିତ୍ସା ପାଇଁ ଏହାକୁ ପ୍ରସ୍ତୁତ କରିବା କାମ ଆରମ୍ଭ ହୋଇଛି।  ଏହାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଏବେ ଜାତୀୟ ମେଡିକାଲ ଆୟୋଗ ନିକଟରେ ଆବେଦନ କରାଯିବ। ପ୍ରଥମ ପର୍ଯ୍ୟାୟରେ ମହାନଦୀ ଇନଷ୍ଟିଚ୍ୟୁଟ୍‌‌ ଅଫ୍‌‌ ମେଡିକାଲ ସାଇନ୍ସେସ୍‌‌ ଆଣ୍ଡ ରିସର୍ଚ୍ଚରେ ୧୦୦ ଜଣ ଛାତ୍ରଛାତ୍ରୀ ଡାକ୍ତରୀ ଶିକ୍ଷା ଲାଭ କରିବେ।

ସୂଚନା ଅନୁସାରେ ତାଳଚେର ମେଡିକାଲ କଲେଜ ପାଇଁ ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। ଏହି ମେଡିକାଲ କଲେଜ ପାଇଁ ଆବଶ୍ୟକ ଯନ୍ତ୍ରପାତି କ୍ରୟ ସମେତ ମାନବ ସମ୍ବଳ ନିଯୁକ୍ତି ଉପରେ ନିଷ୍ପତ୍ତି ଗ୍ରହଣ କରିବ। ତାଳଚେର ମେଡିକାଲ କଲେଜରେ ୩୩୦ ଶଯ୍ୟା ରହିବ ଏବଂ ଆଉ ଏକ ଡାକ୍ତରଖାନାର ୧୦୦ ଶଯ୍ୟା ଏହା ସହିତ ମିଶ୍ରଣ ହେବ। ଉଲ୍ଲେଖଯୋଗ୍ୟ, 2022 ମେ’ ମାସରେ ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ କରିବା ପାଇଁ ଏମ୍‌‌ସିଏଲ୍‌‌ର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ପ୍ରଦାନ କରିଥିଲେ।

ସେହିପରି ଚଳିତ ବର୍ଷ କଳାହାଣ୍ଡି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ସମ୍ଭାବନା ଅଛି। କଳାହାଣ୍ଡି ମେଡିକାଲ କଲେଜ ସମେତ ଯାଜପୁର ମେଡିକାଲ କଲେଜ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏଥିପାଇଁ ଜାତୀୟ ମେଡିକାଲ ଆୟୋଗର ଅନୁଧ୍ୟାନ ଶେଷ ହୋଇଛି।

ରାଜ୍ୟରେ ସମସ୍ତଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସ୍ୱାସ୍ଥ୍ୟ ବିଭାଗ ପଦକ୍ଷେପ ନେଉଛି। କେବଳ ନୂଆ ମେଡିକାଲ କଲେଜ ପ୍ରତିଷ୍ଠାରେ ଏହାକୁ ସୀମିତ ରଖା ନଯାଇ ସମସ୍ତ ସରକାରୀ ଡାକ୍ତରଖାନାରେ ଭିତ୍ତିଭୂମି ନିର୍ମାଣ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଗୁରୁତ୍ୱ ଦିଆଯାଉଛି। ଚଳିତ ବର୍ଷ ୩୦୦ ଡାକ୍ତର ପଦବୀ ପୂରଣ ପାଇଁ ଓପିଏସ୍‌‌ସି ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଉ ୫ ହଜାର ଡାକ୍ତର ପଦବୀ ପାଇଁ ଅର୍ଥ ବିଭାଗ ପକ୍ଷରୁ ମଞ୍ଜୁରୀ ମିଳିଛି। ଫେବୃଆରୀ ୧୪ ତାରିଖରେ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲର ଲୋକାର୍ପଣ ସରିଥିବାବେଳେ ତାଳଚେର ଓ କନ୍ଧମାଳ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ସରକାରୀ ମେଡିକାଲ କଲେଜ ସଂଖ୍ୟା ୧୨ରେ ପହଞ୍ଚିବ। ଏଥିସହ ୨୦୩୦ ସୁଦ୍ଧା ରାଜ୍ୟରେ ଥିବା ସରକାରୀ ମେଡିକାଲ କଲେଜରେ ଆସନ ସଂଖ୍ୟା ୨ହଜାର୫ ଶହରେ ପହଞ୍ଚାଇବା ପାଇଁ ନବୀନ ସରକାର ଲକ୍ଷ୍ୟ ରଖିଛନ୍ତି।

ଅନ୍ୟପଟେ, ରାଜ୍ୟର ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜରେ ଶୃଙ୍ଖଳା ଓ ସଠିକ ସମୟରେ ଯେପରି ରୋଗୀ ସେବା ପାଇ ପାରିବେ ସେହି ଲକ୍ଷ୍ୟରେ ବାୟୋମେଟ୍ରିକ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ନେଇସାରିଛି ସ୍ୱାସ୍ଥ୍ୟ ବିଭାଗ । ଏହି ବ୍ୟବସ୍ଥା ପରବର୍ତ୍ତୀ ସମୟରେ ସବୁPHC ଓ CHCରେ ବି ଲାଗୁ ହେବ । ଚଳିତ ବର୍ଷ ୫ ହଜାର ଡାକ୍ତର, ୯ ହଜାର ଷ୍ଟାଫ ନର୍ସ ମଧ୍ୟ ନିଯୁକ୍ତି ପାଇବେ ବୋଲି ନିକଟରେ ସ୍ୱାସ୍ଥ୍ୟ ସଚିବ ଗଣମାଧ୍ୟମକୁ କହିସାରିଛନ୍ତି।

Related Articles

Back to top button