ତିନ ଓଡ଼ିଆ ଇଞ୍ଜିନିୟର ତିଆରି କଲେ ‘ବୋରୱେଲ ରୋବୋଟିକ୍‌ ରେସ୍‌କ୍ୟୁର’

କୋରାପୁଟ: ବୋରୱେଲ ଭିତରେ ଅଜାଣତରେ ଖସି ଯାଉଛନ୍ତି ଛୋଟ ଛୋଟ ଶିଶୁ । ସେମାନଙ୍କୁ ସୁରକ୍ଷିତ ଭା‌ବେ ବାହାର କରିବାକୁ ବହୁ ପ୍ରଚେଷ୍ଟା କରାଯାଉଛି। ଉଦ୍ଧାର ପାଇ ବହୁତ ସମୟ ଲାଗିଯାଉଥିବାରୁ ବେଳେ ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି।  ଅନେକ ସମୟରେ ଏମାନେ ମୃତ୍ୟୁବରଣ କରୁଛନ୍ତି। ଏହି ସମସ୍ୟାର ସମାଧାନ କରିବା ପାଇଁ ଆଗେଇ ଆସିଛନ୍ତି ତିନି ଯୁବ ଇଞ୍ଜିନିୟର ।  ବୋରୱେଲରେ ଫସି ରହିଥିବା ପିଲାକୁ ବାହାର କରିବା ପାଇଁ ସେମାନେ ତିଆରି କରିଛନ୍ତି ରୋବର୍ଟ । ଏହି  ତିନ ଜଣ ଯୁବ ଇଞ୍ଜିନିୟର ନିଜର ଜ୍ଞାନ କୌଶଳ ଓ ଅଭିଜ୍ଞତାକୁ ବ୍ୟବହାର କରି ‘ବୋରୱେଲ ରୋବୋଟିକ୍‌ ରେସ୍‌କ୍ୟୁର’ ତିଆରି କରିଛନ୍ତି। ଯାହାକି ଗଭୀର ବୋର ୱେଲ ଭିତରକୁ ଯାଇ ଫସି ରହିଥିବା ପିଲାକୁ ସୁରକ୍ଷିତ ଭାବେ ବାହାର କରିପାରିବ ବୋଲି ସେମାନେ ପ୍ରକାଶ କରିଛନ୍ତି।

ତିନି ଜଣ ଯୁବ ଇଞ୍ଜିନିୟର ହେଉଛନ୍ତି ଶିଶିର ମଲ୍ଲିକ, ବିରେନ୍‌ କୁମାର ପ୍ରଧାନ ଓ ଲିଙ୍ଗରାଜ ପ୍ରଧାନ। କ‌ୋରାପୁଟ ଜିଲ୍ଲା ଜୟପୁର ସହରର ପାରାବେଡାରେ ଶିଶିରଙ୍କ ଘର ହୋଇଥିବା ବ‌େଳେ ବିରେନଙ୍କ ଘର ଗଞ୍ଜାମ ଜିଲ୍ଲା ପ୍ରାତପୁଟ ବ୍ଲକର ବାଦପୁର ଗ୍ରାମ ଓ ଲିଙ୍ଗରାଜଙ୍କ ଘର ଚିକିଟି ବ୍ଲକ କୃଷ୍ଣପୁର ଗ୍ରାମରେ। ତିନି ଜଣ ଛତିଶଗଡ ରାଜ୍ୟର ଏନ୍‌ଏମ୍‌ଡିସି ଠାରେ କାମ କରୁଥିଲେ ।

ଚଳିତମାସରେ ମଧ୍ୟପ୍ରଦେଶର ବେଟୁଲ ଜିଲ୍ଲାରେ ୪ ଶହ ଫୁଟ ଗଭୀର ବୋରୱେଲ ଭିତରେ ପଡିଥିବା ୮ ବର୍ଷ ବାଳକ ତନ୍ମୟ ସାହୁକୁ ବଞ୍ଚାଇବାରେ ଉଦ୍ଧାରକାରୀ ଦଳ ବିଫଳ ହୋଇଥିଲେ। ଦୀର୍ଘ ୬୫ ଘଣ୍ଟା ଧରି ଉଦ୍ଧାରକାରୀ ଦଳ ଚେଷ୍ଟା କରି ବାହାର କରିବା ବେଳକୁ ତାର ମୃତ୍ୟୁ ହୋଇ ସାରିଥିଲା। ଏହି ଖବର ଯେତିକି ଦୁଃଖଦ ଥିଲା ଆମ ବ୍ୟବସ୍ଥା ପ୍ରତି ସେତିକି ବିଦ୍ରୁପ କରୁଥିଲା  ।

ଏହି ଘଟଣା ତିନି ସାଙ୍ଗଙ୍କୁ ପ୍ରଭାବିତ କରିଥିଲା । ସେମାନେ ଚିନ୍ତା କରିଥିଲେ କେମିତି ଏହି ସମସ୍ୟାର ସମାଧାନ କରିବେ । ତିନି ଜଣ ଇଲେଟ୍ରିକାଲ ଏଣ୍ଡ ଇଲୋକ୍ଟ୍ରୋନିକ୍ସ ଇଞ୍ଜିନିୟର ପଢ଼ିଥିବା ବ‌େଳେ ଏକ ନୂତନ କୌଶଳ ବ୍ୟବହାର କରି ଭିତରେ ପଶିଥିବା ପିଲାଙ୍କୁ  କେମିତି ବାହାର କରିବେ ସେ ନେଇ ଚେଷ୍ଟା କରିଥ‌ିଲେ।  ବର୍ତ୍ତମାନ‌  ତିନି ସାଙ୍ଗ ମିଶି  ତିଆରି କରିଛନ୍ତି ଏକ ରୋବଟର ଡେମୋ  । ଏହି ରୋବଟ୍‌ ବ୍ୟାଟେରୀ କିମ୍ବା ବିଦ୍ୟୁତ ଦ୍ୱାରା ପରିଚାଳିତ ହୋଇପାରିବ।

Related Articles

Back to top button