ଚୌଦ୍ବାର ଜେଲ୍‌ରେ ପହଞ୍ଚିଲା ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ, ୩ ନମ୍ବର ସେଲ୍‌ରେ ରଖାଯିବ

କଟକ: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳକୃଷ୍ଣ ଦାସକୁ ଆଜି ସନ୍ଧ୍ୟାରେ କଟକ ଜିଲ୍ଲା ଚୌଦ୍ୱାରସ୍ଥିତ ସର୍କଲ ଜେଲକୁ ଅଣାଯାଇଛି। ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡିରେ ଏଏସ୍‌ଆଇ ଭାବେ ମୁତୟନ ଥିବା ଅଭିଯୁକ୍ତ ଗୋପାଳକୁ ଚୌଦ୍ୱାର ଜେଲ୍‌ର ୩ନମ୍ବର ସେଲ୍‌ରେ ରଖାଯିବ। ଏଥି ପାଇଁ ଜେଲ୍‌ କର୍ତ୍ତୃପକ୍ଷଙ୍କ ତରଫରୁ ବ୍ୟବସ୍ଥା କରାଯାଇଛି। ଚୌଦ୍ୱାର ଜେଲ୍‌ରେ ସ୍ୱତନ୍ତ୍ର ସିସିଟିଭି ସର୍ଭିଲାନ୍ସରେ ରଖାଯିବା ନେଇ ସୂଚନା ମିଳିଛି।

ଝାରସୁଗୁଡ଼ା ଏସଡିଜେଏମ୍‌ କୋର୍ଟଙ୍କ ଅନୁମତି ପରେ ସ୍ଥାନୀୟ ସବ୍‌ଜେଲରୁ ଗୋପାଳକୁ ସ୍ଥାନାନ୍ତର କରାଯାଇଛି। ଗୋପାଳକୁ ଏକ ସ୍ବତନ୍ତ୍ର ଟିମ୍‌ ନେଇ ଚୌଦ୍ବାର ଆସିଛନ୍ତି। ଏଥି ପାଇଁ ଚୌଦ୍ବାର ଜେଲ୍‌ କର୍ତ୍ତୃପକ୍ଷଙ୍କ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଗୋପାଳକୁ ସ୍ଥାନାନ୍ତର ପାଇଁ କୋର୍ଟ ଅନୁମତି ଦେଇଥିଲେ। ପୂର୍ବରୁ ଜେଲ ବିଭାଗ ଗୋପାଳକୁ ‌ଚୌଦ୍ବାର ଜେଲ ଆଣିବା ପାଇଁ ଆବେଦନ କରିଥିଲା ।

ଅଭିଯୁକ୍ତ ଗୋପାଳ ଦାସକୁ ଚୌଦ୍ବାର ଜେଲ୍‌ରେ କଡ଼ାସୁରକ୍ଷା ଭିତରେ ରଖାଯିବ।ଏକ ହାଇ ସିକ୍ୟୁରିଟି ସେଲ୍‌ରେ ଗୋପାଳକୁ ରଖାଯିବ। ଏକ ସ୍ବତନ୍ତ୍ର ଟିମ୍‌ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ। ଗୋପାଳ ଦାସକୁ ଚୌଦ୍ୱାର ଜେଲ୍‌ ସ୍ଥାନାନ୍ତରିତ ନେଇ ଜେଲ୍‌ ଡିଜି କହିଛନ୍ତି, ସ୍ଥାନାନ୍ତର ପାଇଁ ଗୋପାଳ ନିଜେ ଇଚ୍ଛ କରି କୋର୍ଟରେ କହିଥିଲା।

ମନ୍ତ୍ରୀ ନବଦାସ ହତ୍ୟାକାଣ୍ଡକୁ ୧୭ ଦିନ ବିତିଛି। କିନ୍ତୁ ହତ୍ୟାକାଣ୍ଡ ପଛର କାରଣ ଏବେ ବି ରହସ୍ୟ ହୋଇ ରହିଛି। ଗୁଳିକାଣ୍ଡ ଦିନଠୁ ଯେଉଁ ପ୍ରଶ୍ନ ଉଠିଥିଲା, ସେହି ପ୍ରଶ୍ନର ଉତ୍ତର ଆଜି ବି ମିଳି ନାହିଁ । ଅଭିଯୁକ୍ତ ଗୋପାଳ ଦାସ କାହିଁକି ମନ୍ତ୍ରୀଙ୍କୁ ଗୁଳି କଲେ, ଏହା ପଛର କାରଣ କଣ, ତାର ଖୁଲାସ କ୍ରାଇମବ୍ରାଞ୍ଚ ଏବେ ବି କରିନାହିଁ। ଅନ୍ୟପଟେ କ୍ରାଇମବ୍ରାଞ୍ଚ ପୁଣି ଅଭିଯୁକ୍ତକୁ ରିମାଣ୍ଡରେ ନେଇନଥିବାରୁ ଗୁଳିକାଣ୍ଡର କାରଣ ଜାଣି ସାରିଥିବା ଅନୁମାନ କରାଯାଉଛି।

Related Articles

Back to top button