ଆଜି ପବିତ୍ର ଗଣେଶ ଚତୁର୍ଥୀ

ଆଜି ପବିତ୍ର ଗଣେଶ ଚତୁର୍ଥୀ । ଗଣପତି ବିଦ୍ୟା ବୁଦ୍ଧିଦାତା । ଧରାପୃଷ୍ଠରେ ବିରାଜିଛନ୍ତି ପାର୍ବତୀ ନନ୍ଦନ । ଏ ନେଇ ଚଳଚଞ୍ଚଳ ହୋଇଛି ପୁରପଲ୍ଲୀ । ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଗଣନାଥଙ୍କ ପୂଜା ହୋଇଛି । “ଓମ୍ ନମଃ ଗଣେଶ ବିଘ୍ନେଶ ଗିରିଜାନନ୍ଦନଂ ପ୍ରଭୁ, ମମ ବିଘ୍ନ ନିହତ୍ୟାଷୁ ସର୍ବକାର୍ଯ୍ୟେଷୁ ସର୍ବଦା…” ମନ୍ତ୍ର ଧ୍ବନିରେ ଗୁଞ୍ଜରିତ ହେଉଛି ଗାଁଠୁ ସହର । ହିନ୍ଦୁ ଧର୍ମରେ କୌଣସି ବି ଶୁଭ କାର୍ଯ୍ୟ ହେଉ ନା କାହିଁକି ତା ପୂର୍ବରୁ ଅଗ୍ରପୂଜ୍ୟ ଗଣନାଥଙ୍କୁ ପୂଜା କରାଯାଏ । ଗଣେଶଙ୍କ ଧ୍ୟାନ, ଜପ ଓ ଆରଧନା ଦ୍ବାରା ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ସେଇଥି ପାଇଁ ତ ସେ ବିଘ୍ନବିନାଶକ ଆଉ ବିଘ୍ନହର୍ତ୍ତା । ବିବାହ ହେଉ କି ବ୍ରତ ଘର କି ଘର ପ୍ରତିଷ୍ଠା ସବୁଥିରେ ତାଙ୍କୁ ପୂଜା କରାଯାଏ । ବିଶେଷ କରି ଶିକ୍ଷାନୁଷ୍ଠାନମାନଙ୍କରେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ମହାଆଡ଼ମ୍ବରରେ ଆୟୋଜିତ ହୋଇଛି । ଗଣେଶଙ୍କୁ ମୁଖ୍ୟତଃ ରାଶିଲଡ଼ୁ, ମୋଦକ, କଦଳୀ ଆଦି ଭୋଗ ଲାଗି ହୋଇଥାଏ । ରାଜ୍ୟ ସମେତ ଦେଶର କୋଣ ଅନୁକୋଣରେ ଗଣେଶ ପୂଜାର ଉତ୍ସବ ଦେଖିବାକୁ ମିଳିଛି । ମହାରାଷ୍ଟ୍ରରେ ଏହା ଏକ ଗଣପର୍ବ ହୋଇଥିବାବେଳେ ଓଡିଶାର ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଗଣେଶ ପୂଜା ପ୍ରସିଦ୍ଧ ।ପୁରାଣ ଅନୁଯାୟୀ ଦେବୀ ପାର୍ବତୀ ସ୍ନାନ କରୁଥିବା ସମୟରେ ଦେହର ମଳିରୁ ଏକ ମୂର୍ତ୍ତି ତିଆରି କରିଥିଲେ । ଭଗବାନ ବିଷ୍ଣୁଙ୍କ ସ୍ମରଣରେ ସେ ମୂର୍ତ୍ତିଟି ଜୀବନ ଦାନ ପାଇଥିଲେ । ଆଉ ସେ ହୋଇଥିଲେ ପାର୍ବତୀ ନନ୍ଦନ ଶ୍ରୀଗଣେଶ । ଏକାଦା ପାର୍ବତୀ ତପସ୍ୟା କରୁଥିବା ସମୟରେ ଶ୍ରୀଗଣେଶଙ୍କୁ ଦ୍ବାର ଜଗିବାକୁ କହିଥିଲେ । ଗୁମ୍ଫାକୁ କାହାକୁ ପ୍ରବେଶ କରେଇ ନଦେବାକୁ ଆଦେଶ ଦେଇଥିଲେ । ଆଉ ଆଦେଶ ପାଳନ କରିଥିଲେ ପୁତ୍ର ବିଗ୍ନେଶ । ସେହି ସମୟରେ ମହାଦେବ ପାର୍ବତୀଙ୍କୁ ଦେଖା କରିବାକୁ ଆସିଥିଲେ ମାତ୍ର ମାତାଙ୍କ ଆଦେଶ ପାଳନ କରି ମହାଦେବଙ୍କୁ ଭିତରକୁ ପ୍ରବେଶ କରିବାକୁ ଦେଇଥିଲେ ପ୍ରଭୁ ବିଗ୍ନେଶ । ଶିବ ଓ ବିଗ୍ନେଶଙ୍କ ମଧ୍ୟରେ ବାକ ଯୁଦ୍ଧ ହୋଇଥିଲା । ମହାଦେବ କ୍ଷୁବ୍‌ଧ ହୋଇ ବିଗ୍ନେଶଙ୍କ ମୁଣ୍ଡ କାଟି ଦେଇଥିଲେ । ଏହା ଦେଖି ମାତା ପାର୍ବତୀ ଅଧୀର ହୋଇ ପଡିଥିଲେ । ପାର୍ବତୀ ଉତ୍ତେଜିତ ହୋଇ ଉଗ୍ରରୂପ ଧାରଣ କରିଥିଲେ । ସୃଷ୍ଟିକୁ ଧ୍ବଂସ କରି ଦେବାକୁ କହିଥିଲେ ।ପାର୍ବତୀଙ୍କୁ ବୁଝାଇବାକୁ ଯାଇ ସୃଷ୍ଟି କର୍ତ୍ତା ବ୍ରହ୍ମା ଚେଷ୍ଟା କରିଥିଲେ । ତାଙ୍କ ସମ୍ମୁଖରେ ପାର୍ବତୀ 2ଟି ସର୍ତ୍ତ ରଖିଥିଲେ । ପ୍ରଥମେ ବିଗ୍ନେଶଙ୍କୁ ଜୀବନ ଦାନ ଦିଆଯିବ ଅନ୍ୟଟି ବିଗ୍ନେଶ ଅଗ୍ରପୂଜ୍ୟ ହେବେ । ଏଥିରେ ବ୍ରହ୍ମା ରାଜି ହୋଇଥିଲେ । ଶିବ ତାଙ୍କ ଅନୁଚରଙ୍କୁ ପଠାଇ ଯେଉଁ ପ୍ରାଣୀକୁ ପ୍ରଥମେ ଦେଖିବ ଯିଏକି ଉତ୍ତର ଦିଗକୁ ମୁଣ୍ଡ ଦେଇ ଶୋଇଥିବ ତାର ଶିର ଛେଦନ କରି ନେଇ ଆସିବ । ଶିବଦୂତ ଏକ ହାତୀ ମୁଣ୍ଡ ଆଣି ଆସିଥିଲେ । ବିଗ୍ନେଶଙ୍କ ମୁଣ୍ଡରେ ହାତୀ ମୁଣ୍ଡଟିକୁ ଲଗାଇ ତାଙ୍କୁ ଜୀବନ୍ୟାସ ପ୍ରଦାନ କରାଯାଇଥିଲା । ଏହାପରେ ସେ ଗଣେଶ ନାମରେ ନାମିତ ହୋଇଥିଲେ ଓ ଅଗ୍ରପୂଜ୍ୟ ଭାବେ ପୂଜା ପାଇଥିଲେ ।

Related Articles

Back to top button