ଆଜି ମାଆ ଦୁର୍ଗାଙ୍କ ପବିତ୍ର ମହାନବମୀ , ଘଣ୍ଟ ଘଣ୍ଟା, ଶଙ୍ଖ ଧ୍ବନୀରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ

ଆଜି ପବିତ୍ର ମହାନବମୀ । ପୂଜା ମଣ୍ଡପରେ ବିରାଜମାନ କରିଥିବା ମୃଣ୍ମୟ ଦେବୀଙ୍କର ମହାନବମୀ ପୂଜା ଅନୁଷ୍ଠିତ ହେଉଛି । ଶାରଦୀୟ ଦୁର୍ଗାପୂଜା ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇ ଉଠିଛି। ଜଗଜ୍ଜନନୀ ମାଆ ଦୁର୍ଗାଙ୍କ ପୂଜା ଆରାଧନାରେ ସମସ୍ତେ ନିଜକୁ ନିୟୋଜିତ କରିଛନ୍ତି। । ଏଥିପାଇଁ ବିଭିନ୍ନ ମଣ୍ଡପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନାର ଆୟୋଜନ କରାଯାଇଛି। ଘଣ୍ଟ ଘଣ୍ଟା, ଶଙ୍ଖ ଧ୍ବନୀରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ । ହୋମ ଯଜ୍ଞ, ଚଣ୍ଡୀପାଠରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଆକର୍ଷଣୀୟ ତୋରଣ ସାଙ୍ଗକୁ ଚିତ୍ତାକର୍ଷଣ ମେଢ଼ରେ ଝଲସୁଛି ପୂଜା ପେଣ୍ଡାଲ । ପୁଜା ମଣ୍ଡପ ଗୁଡିକରେ ଜମୁଛି ନାହିଁନଥିବା ଭିଡ଼ । ଆଜି ମଣ୍ଡପରେ ମହାମାୟାଙ୍କ ମହାନବମୀ ପୂଜା ଚାଲିଥିବା ବେଳେ ଶକ୍ତି ପୀଠଗୁଡିକରେ ଦଶହରା ପାଳନ ହେଉଛି । ଦଶହରାରେ ମାଆ ଦୁର୍ଗାଙ୍କ ମହିଷା ମର୍ଦ୍ଦିନୀ ବେଶ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି।ଶାରଦୀୟ ଦୁର୍ଗାପୂଜା ପାଇଁ ସବୁଠି ଉତ୍ସାହର ମାହୋଲ । ଆଜି ସକାଳୁ ମା’ଙ୍କ ମହାନବମୀ ପୂଜା ପାଇଁ ଶ୍ଲୋକ ଓ ଚଣ୍ତୀପାଠରେ କମ୍ପୁଛି ସମସ୍ତ ପୂଜା ମଣ୍ତପ । ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି । ଆଜି ମଣ୍ତପରେ ସକାଳୁ ବିଭିନ୍ନ ନୀତିକାନ୍ତି କରାଯାଇ ମା’ଙ୍କ ଆରାଧନା କରାଯାଉଛି । ଆଳତି, ପୁଷ୍ପାଞ୍ଜଳି ସରିବା ପରେ ସଂଧ୍ୟାରେ କୁମାରୀ ପୂଜା କରାଯିବ । ଭୁବନେଶ୍ୱର ସମେତ କଟକ, ବାଲେଶ୍ୱର,ବ୍ରହ୍ମପୁର ସହ ରାଜ୍ୟରେ ବିଭିନ୍ନ ସ୍ଥାନରେ ବେଶ୍ ଉତ୍ସାହର ସହ ପାଳନ କରାଯାଉଛି ଦୁର୍ଗାପୂଜା । ପୂଜା କମିଟି ପକ୍ଷରୁ ଆୟୋଜନ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରୁଛନ୍ତି ଦର୍ଶକ । ଆଜି ନବମୀ ଓ ଆସନ୍ତାକାଲି ବିଜୟା ଦଶମୀ ପାଇଁ ମଣ୍ତପରେ ଭକ୍ତଙ୍କର ପ୍ରବଳ ଭିଡ଼ ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Related Articles

Back to top button