ଆଜି ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ

ଆଜି ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ । ସାରା ରାଜ୍ୟ ଉତ୍ସବ ମୁଖର, ବୃନ୍ଦାବତୀ ମୂଳରେ ଜଳ ଘଡ଼ି ବସାଇବା ପଣା ବାଣ୍ଟି ଉତ୍ସବ ମନାଉଛନ୍ତି ଓଡ଼ିଆ ଲୋକ । ଏହି ଦିନକୁ ରାମଭକ୍ତ ହନୁମାନଙ୍କ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଇଥାଏ । ଉକ୍ରଳୀୟ ପରମ୍ପରା ଅନୁଯାୟୀ ଆଜିଠାରୁ ନୂଆ ପାଞ୍ଜିକା ପ୍ରଚଳନ କରାଯାଏ । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

ଏହି ଦିନ ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉଁରା ମୂଳରେ ବାନ୍ଧିଦିଆଯାଏ । ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ ଏହି ଠେକିକୁ ବସୁନ୍ଧରା ଠେକି କହାଯାଏ । ଦହି, ଛେନା, ଗୁଡ଼, କଦଳୀ ଓ ନଡିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ । ।ଓଡ଼ିଆ ପାଞ୍ଜିର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତିକୁ ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗଣନା କରାଯାଏ। ଏହି ଦିନଟିକୁ ଓଡ଼ିଆ ନୂଆବର୍ଷ ଭାବେ ପାଳନ କରାଯାଏ। ଏହି ଦିନରେ ବର୍ଷର ଆରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବାଦେବୀଙ୍କ ଠାରେ ସ୍ୱତନ୍ତ୍ର ଭାବରେ ପୂଜା ଅର୍ଚ୍ଚନା, ଭୋଗ, ହୋମ ଆଦି କରାଯାଏ।

ସେହିପରି ଏହି ସମୟରେ ସୂର୍ଯ୍ୟକିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଦେହର ତାପକୁ ସାଧାରଣ କରିବା ପାଇଁ ଏହି ଦିନରେ ପଣା ପାନ କରାଯାଏ। ଏହି ମହାବିଷୁବ ସଂକ୍ରାନ୍ତିରେ ବିଭିନ୍ନ ଦେବଦେବୀ ମନ୍ଦିରରେ ବେଲ ପଣା ଭୋଗ ଦିଆଯାଏ। ତେଣୁ ଏହି ଦିନକୁ ପଣା ସଂକ୍ରାନ୍ତି କୁହାଯାଏ। ଏହାସହିତ ଓଡିଆମାନେ ଘରେ ବେଲରେ ପଣା ପ୍ରସ୍ତୁତ କରି ପରିବାର, ସାହିପଡ଼ିଶା, ବନ୍ଧୁ ପରିଜନ ଏବଂ ବ୍ରାହ୍ମଣ ମାନଙ୍କୁ ଦିଆଯାଏ। ଲୋକେ ପଣାକୁ ଅଧିକ ସ୍ଵାଦଯୁକ୍ତ କରିବା ପାଇଁ ଏଥିରେ ବେଲ ସହିତ ଦହି, ଛେନା, ଗୁଡ଼, ଚିନି, କାଜୁ, କିସମିଶ, କଦଳୀ, ନଡ଼ିଆ ଏବଂ ଥଣ୍ଡା ବା ବରଫ ପାଣି ମିସାଇଥାନ୍ତି।

Related Articles

Back to top button