ଆଜି ରସଗୋଲା ଦିବସରେ ମା’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ ମହାପ୍ରଭୁ

ଆଜି ରସଗୋଲା ଦିବସ । ମା’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିଥାନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ରଥଯାତ୍ରାରେ ମହାପ୍ରଭୁ ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସଭଦ୍ରାଙ୍କୁ ନେଇ ମାଉସୀ ମା ଘରକୁ ନବଦିନାତ୍ମକ ଯାତ୍ରା କରିଥିବାରୁ ଅଭିମାନ କରିଥାନ୍ତି ମା’ଲକ୍ଷ୍ମୀ । ମହାପ୍ରଭୁ ଶ୍ରୀଜଗନ୍ନାଥ ନୀଳାଦ୍ରି ବିଜେ ଅବସରରେ ମାନ କରି ରହିଥିବା ମା’ ଲକ୍ଷ୍ମୀଙ୍କୁ ମହାପ୍ରଭୁ ରସଗୋଲା ଦେଇ ମାନଭଞ୍ଜନ କରିବାର ଏହି ଅନନ୍ୟ ପରମ୍ପରା ରହିଛି ।ଆଜି ଶ୍ରୀଗୁଣ୍ଡିଚା ଯାତ୍ରାର ଶେଷ ପର୍ଯ୍ୟାୟ ଅଖିଳ ବ୍ରହ୍ମାଣ୍ଡ ଠାକୁରଙ୍କ ଘରବାହୁଡା ତଥା ନୀଳାଦ୍ରି ବିଜେ । ଏହି ଦିନ ଠାକୁର ଗୋଟିପହଣ୍ଡିରେ ପାଟ ପଟୁଆରରେ କାହାଳୀ, ଘଣ୍ଟ ବଜାଇ ସନ୍ଧ୍ୟା ଧୂପ ସରିବା ପରେ ଶ୍ରୀମନ୍ଦିରକୁ ବିଜେ କରନ୍ତି । ସର୍ବପ୍ରଥମେ ମଦନମୋହନ ରାମକୃଷ୍ଣ ଦକ୍ଷିଣ ଚାରକୁ ବିଜେ ହୁଅନ୍ତି ।

ପରମ୍ପରା ଅନୁଯାୟୀ ଶ୍ରୀଜଗନ୍ନାଥ ସିଂହଦ୍ୱାର ନିକଟକୁ ଆସିଲେ କବାଟ ସାମୟିକ ବନ୍ଦ କରାଯାଏ । ପୁନଶ୍ଚ ଶ୍ରୀଜଗନ୍ନାଥ ଜୟ-ବିଜୟ ଦ୍ୱାର ପାଖରେ ପହଞ୍ଚିଲେ କବାଟ ବନ୍ଦ କରାଯାଏ । ଏହିଠାରେ ଲକ୍ଷ୍ମୀ-ନାରାୟଣ ବଚନିକା ହୁଅନ୍ତି । ଲକ୍ଷ୍ମୀଙ୍କ ତରଫରୁ ଦେବଦାସୀ ଥିଲେ ହେଁ ସମ୍ପ୍ରତି ଏହା ପୂଜାପଣ୍ଡାଙ୍କ ଦ୍ୱାରା ସମ୍ପନ୍ନ ହେଉଛି । ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ଦଇତା ସେବକ । ଏମାନଙ୍କ ଭିତରେ କିଛି ସମୟ ବଚନିକା ପରେ ଦ୍ୱାରା ଖୋଲେ । ଶ୍ରୀଜଗନ୍ନାଥ ଭଣ୍ଡାର ଘର ନିକଟରେ ପହଞ୍ଚିବା ପରେ ସେଠାରେ ରୁକ୍ମିଣୀ ବିବାହର ଗଇଁଠାଳ ଫିଟେ, ବନ୍ଦାପନା ହୋଇ ରସଗୋଲା ଭୋଗହୁଏ । ମାନମୟ ଠାକୁର ମାନମୟୀ ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ କୋଳେଇ ନିଅନ୍ତି । ଏହି ରସଗୋଲା ଭୋଗକୁ ଆଧାର କରି ଭକ୍ତମାନେ ବିପୁଳ ସଂଖ୍ୟାରେ ଠାକୁରଙ୍କୁ ରସଗୋଲା ଭୋଗ ଲାଗି କରିଥାନ୍ତି ।

Related Articles

Back to top button