ଆଜି ଆଲୋକର ପର୍ବ ଦୀପାବଳି, ଗାଁଠାରୁ ସହର ଉତ୍ସବମୁଖର

ସନାତନ ଧର୍ମର ଏକ ମୁଖ୍ୟ ପର୍ବ ହେଉଛି ଦୀପାବଳୀ । ଆନନ୍ଦ, ଉତ୍ସାହ, ସୁଖ, ସମୃଦ୍ଧିକୁ ନେଇ ଆସିଛି ଦୀପାବଳି । ଅନ୍ୟାୟ ଉପରେ ନ୍ୟାୟର, ଅଧର୍ମ ଉପରେ ଧର୍ମର, ଅସତ୍ୟ ଉପରେ ସତ୍ୟର ଓ ଅନ୍ଧକାର ଉପରେ ଆଲୋକର ବିଜୟର ପର୍ବ ହେଉଛି ପବିତ୍ର ଦୀପାବଳି । ସବୁଆଡ଼େ ଖୁସିର ମାହୋଲ । ଗାଁ ଠାରୁ ସହର ସଜେଇ ହୋଇଛି ରଙ୍ଗିନ୍ ଆଲୋକରେ । ଭାରତବର୍ଷରେ ଆଲୋକର ପର୍ବ ଦୀପାବଳି ପୁରପଲ୍ଲୀ, ସହର ବଜାର ସବୁଠାରେ ଖୁବ୍ ଧୁମ୍ଧାମରେ ପାଳନ କରାଯାଇଥାଏ । ଓଡ଼ିଶାରେ ଏହିଦିନ ପିତୃପୁରୁଷଙ୍କୁ କାଉଁରିଆ କାଠିଜଳାଇ ମନେପକାଯାଇଥାଏ। ଛୋଟ ପିଲାଠାରୁ ଆରମ୍ଭ କରି ପ୍ରତ୍ୟେକ ବର୍ଗର ଲୋକମାନେ ଏହି ଦିନ ବାଣ ଫୁଟାଇ ଦୀପାବଳୀ ମନାଇଥାନ୍ତି । ଚାରିଆଡ଼େ ଦୀପ ଏବଂ ବିଭିନ୍ନ ପ୍ରକାରର ରଙ୍ଗିନ ଲାଇଟ୍‌ରେ ଝଲସୁଥାଏ । ଲୋକଙ୍କ ଚାହିଦାକୁ ଦେଖି ଏଥର ବଜାରରେ ଭଳିକି ଭଳି ବାଣର ପସରା ମେଲିଛି । ତେବେ ଗ୍ରୀନ କ୍ରାକରକୁ ମିଳିଛି ଅଧିକ ଗୁରୁତ୍ୱ ଦିଆଯାଉଛି।
ଏହି ପର୍ବର ବିଭିନ୍ନ ଶାସ୍ତ୍ରୀୟ କିମ୍ବଦନ୍ତୀ ରହିଛି। ପୌରାଣିକ ମତାନୁଯାୟୀ, ଏହିଦିନ ଭଗବାନ୍ ବିଷ୍ଣୁ ହିରଣ୍ୟକଶିପୁଙ୍କୁ ବଧ କରିଥିଲେ। ସେଥିପାଇଁ ଏହି ପର୍ବ ପାଳନ କରାଯାଏ। ଆଉ କେତେକ ମତ ଦିଅନ୍ତି, ଉକ୍ତ ଦିନ ସମୁଦ୍ର ମନ୍ଥନରୁ ଲକ୍ଷ୍ମୀ ଓ ଧନ୍ବନ୍ତରୀଙ୍କ ଆବିର୍ଭାବ ହୋଇଥିଲା। ଆହୁରି ମଧ୍ୟ କୁହାଯାଏ, ୧୪ ବର୍ଷ ବନବାସ ସାରି ମର‌୍ୟ୍ୟାଦାପୁରୁଷ ରାମଚନ୍ଦ୍ର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିବାରୁ ଏହିଦିନକୁ ସ୍ମରଣୀୟ କରିବାକୁ ଆଲୋକର ପର୍ବ ଭାବେ ପାଳନ କରାଯାଇଥାଏ। ଦୀପାବଳିର ଗୋଟିଏ ଦିନ ପୂର୍ବରୁ ଶ୍ରୀକୃଷ୍ଣ ନାରକାସୁରକୁ ବଧ କରିଥିବାରୁ ଏହାପର ଦିନକୁ ଦୀପାବଳି ଭାବେ ପାଳନ କରାଯାଏ।କେହି କେହି ମତ ଦିଅନ୍ତି, ରାକ୍ଷସମାନଙ୍କୁ ବଧ କରିବା ପରେ ଯେତେବେଳେ ମହାକାଳୀଙ୍କ କ୍ରୋଧ ଶାନ୍ତ ହୋଇ ନ ଥିଲା ଏବଂ ସେ ଉଗ୍ର ରୂପ ଧାରଣ କରି ସୃଷ୍ଟି ସଂହାର ଉଦ୍ଦେଶ୍ୟରେ ବାହାରିଥିଲେ, ସେତେବେଳେ ଶିବ ତାଙ୍କୁ ଅଟକାଇବା ପାଇଁ ତଳେ ଶୋଇ ପଡିଥିଲେ। ଏହାପରେ ତତ୍କ୍ଷଣାତ୍ ମହାକାଳୀ ଶାନ୍ତ ହୋଇ ଯାଇଥିଲେ। ତେଣୁ କାଳୀଙ୍କ ଶାନ୍ତ ରୂପ ମହାଲକ୍ଷ୍ମୀଙ୍କୁ ଏହିଦିନଠାରୁ ପୂଜା ଆରମ୍ଭ କରାଯିବା ସହ ଦୀପାବଳି ରାତିରେ କାଳୀଙ୍କ ଉଗ୍ରରୂପକୁ ମଧ୍ୟ ପୂଜା କରାଯାଇଥାଏ। ଆଜି ପବିତ୍ର ଦୀପାବଳି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି।

Related Articles

Back to top button