ଆଜି ପବିତ୍ର ଶ୍ରୀପଞ୍ଚମୀ: ଆଜିର ତିଥିରେ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ କରାଯିବ

ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମାଆ ସରସ୍ବତୀ। ସରସ୍ବତୀ ହେଉଛନ୍ତି ଜ୍ଞାନର ଦେବୀ। ତେଣୁ ଆଜି ସମସ୍ତ ଶିକ୍ଷାନୁଷ୍ଠାନରେ ମାଆଙ୍କୁ ସ୍ବତନ୍ତ୍ର ଭାବ‌ରେ ଆରାଧନା କରାଯାଉଛି। ସକାଳୁ ସକାଳୁ ଛୋଟ ଛୋଟ ପିଲାମାନେ ସ୍କୁଲ ଯାଇଛନ୍ତି। ମା’ ସରସ୍ବତୀଙ୍କୁ ବାଗଦେବୀ, ଭଗବତୀ, ଶାରଦା, ବୀଣାବାଦିନୀ ରୂପରେ ପୂଜା କରାଯାଇଥାଏ । ଏହି ଦିନ ଅନେକ ନୂତନ କାର୍ଯ୍ୟର ଆରମ୍ଭ ମଧ୍ୟ କରାଯାଇଥାଏ । ବସନ୍ତ ଋତୁରେ ଏହି ପର୍ବ ପଡୁଥିବାରୁ ଏହାକୁ ବସନ୍ତ ପଞ୍ଚମୀ କୁହାଯାଏ। ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ପୁରପଲ୍ଲୀରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟରେ ପୂଜା କରାଯାଉଛି।

ଆଜିର ତିଥିରେ ଆଗାମୀ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ କରାଯିବ । ନୟାଗଡ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନି ଖଣ୍ଡ ବାର ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇ ପୂଜାର୍ଚ୍ଚନା କରାଯିବାର ବିଧି ରହିଛି। ପରମ୍ପରା ଅନୁଯାୟୀ ରାଜ ପୁରୋହିତ ଓ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ବାରା ମା ସରସ୍ବତୀଙ୍କୁ ପୂଜାର୍ଚ୍ଚନା ପରେ ରଥଖଳାରେ ୩ ଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ମଣମାନେ ବନ୍ଦାପନା ସହ ପୂଜା କରିବେ। ଚଳିତବର୍ଷ ରଥଯାତ୍ରା କିଭଳି ଭାବେ ଶାନ୍ତି ଶୃଙ୍ଖଳା ସହ ସମାପନ କରାଯିବ , ସେ ନେଇ ଶ୍ରୀଜିଉଙ୍କ ନିକଟରେ ପ୍ରାର୍ଥନା କରାଯିବ।

Related Articles

Back to top button