ଆଜି ରଜ ଉତ୍ସବର ଶେଷ ଦିବସ : ଘରେ ହେବ ବସୁମତୀ ସ୍ନାନ

ଆଜି ହେଉଛି ଆଷାଢ଼ ମାସ ର ତୃତୀୟ ଦିବସ । ରଜ ଉତ୍ସବ ର ଶେଷ ଦିବସ । ପରମ୍ପରା ଅନୁସାରେ ଘରେ ଘରେ ହୋଇଛି ବସୁମତୀ ସ୍ନାନ। ଏହା ଧରା ସ୍ନାନ, ମହାଲକ୍ଷ୍ମୀ ସ୍ନାନ, ଶୁଦ୍ଧ ସ୍ନାନ ଭାବେ ପରିଚିତ । ପ୍ରାତଃ ରେ ଘରେ ଥିବା ଶିଳପୁଆ କୁ ହଳଦୀକନା ଗୁଡ଼ାଇ, ସେଥିରେ ସିନ୍ଦୂର, କଜଳ ଲଗାଇ ଧରଣୀ ମାତା ସ୍ୱରୂପ ରେ ସଜାଇ ପିଢ଼ା ଉପରେ ସ୍ଥାପନା କରି କଳସ, ଆମ୍ବ ଡାଳ ରଖି କ୍ଷୀର ଦେଇ ସ୍ନାନ କରାଯାଇଥିଲା । ବସୁମତୀ ମାତା ଙ୍କ ନିକଟରେ ଫଳ ମୂଳ ଭୋଗ ଲାଗି କରା ଯାଇଥିଲା । ମାସିକ ଧର୍ମ ର ବିଧି ଅନୁଯାୟୀ ଧରଣୀ ମାତା ତିନି ଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥାନ୍ତି । ରଜସ୍ୱଳା ନାରୀ ସଦୃଶ ତିନିଦିନ ଅସ୍ପୃଶ୍ୟ ରହିବା ପରେ ଚତୁର୍ଥ ଦିନ ପ୍ରାତଃ ରେ ଘରେ ଘରେ ହୁଏ ଏହି ଶୁଦ୍ଧ ସ୍ନାନ। ଏହି ଦିନ ରଜପର୍ବ ର ଆନନ୍ଦ ଉଲ୍ଲାସ ମଉଳିଯାଇ ଆଧ୍ୟାତ୍ମିକତା ସ୍ଥାନ ନେଇଥାଏ । ଏହି ବସୁମତୀ ସ୍ନାନ ଦିବସ ରେ ଧରଣୀ ମାତା ପ୍ରତି ଭକ୍ତିଭାବ ଜାଗ୍ରତ ହୋଇଥାଏ । ଧରଣୀ ମାତା କୁ ମହିଳା ଙ୍କ ସହିତ ତୁଳନା କରାଯାଏ । ବସୁମାତା ରଜସ୍ଵଳା ହୋଇ ଶୁଦ୍ଧସ୍ନାନ ପରେ ସୃଜନ କ୍ଷମତାଶିଳା ଅର୍ଥାତ ଶସ୍ୟ ବୀଜ ଧାରଣକାରିଣୀ ହୋଇପାରି ଥାନ୍ତି । ଯୁବତୀ ଓ କିଶୋରୀ ମାନେ ଏହି ପର୍ବ ରୁ ନିଜ ଜୀବନ ଶୈଳୀ ର ଶିକ୍ଷା ଗ୍ରହଣ କରିଥାଆନ୍ତି । ବସୁମତୀ ସ୍ନାନ ପରେ ଶେଷ ହୁଏ ରଜପର୍ବ ।

ଶେଷ ରଜରେ ସବୁଠି ମହାଆଡମ୍ବରରେ ହେଉଛି ଉତ୍ସବ । ଗାଁଠୁ ରାଜଧାନୀ ପର୍ଯ୍ୟନ୍ତ ଚାଲିଛି ରଜ ମଉଜ। କୂଆଁରିଙ୍କ ମନରେ ଅସୁମାରି ଆନନ୍ଦ ଉଲ୍ଲାସ । ନୂଆ ପୋଷକ ପିନ୍ଧି ସଜେଇ ହୋଇ ସାଙ୍ଗସାଥିଙ୍କ ସହ ରଜ ଦୋଳିର ମଜା ନେଇଛନ୍ତି ଝିଅ ଓ ବୋହୂ। ପିଠାପଣାର ମହକରେ ବାସୁଛି ଗାଁ ଗଣ୍ଡା । ସବୁଠି ପୋଡ଼ ପିଠା ସାଙ୍ଗକୁ ରଜ ପାନର ଆଦର। ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ମଧ୍ୟ ରଜ ପାନ ଖାଇ ଉତ୍ସବରେ ସାମିଲ ହୋଇଛନ୍ତି । ଅନେକ ଗାଁରେ ଆୟୋଜିତ ହେଉଛି ଦୋଳି ଓ କବାଡ଼ି ଖେଳ ପ୍ରତିଯୋଗିତା ।

Related Articles

Back to top button