ଆଜି ହେଉଛି ମହାବିଷୁବ ପବିତ୍ର ପଣା ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ।
ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି। ଓଡ଼ିଆ ପରମ୍ପରାନୁଯାୟୀ ଏହି ଦିନଠାରୁ ନୂତନ ବର୍ଷ ଆରମ୍ଭ ହୋଇଥାଏ। ଆଜିର ପବିତ୍ର ଦିନକୁ ନେଇ ପ୍ରତି ଓଡ଼ିଆ ଘର ଚଳଚଞ୍ଚଳ ହୋଇପଡ଼ିଛି। ଶୈବ ପୀଠରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି। ଏହାଛଡ଼ା ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ। ଓଡ଼ିଆ ସଂସ୍କୃତି ଓ କାଳ ଗଣନାରେ ଗୋଟିଏ ବର୍ଷ ବୈଶାଖରୁ ଆରମ୍ଭ ହୋଇ ଚୈତ୍ରରେ ସମାପ୍ତ ହୋଇଥାଏ। ଦୋଳପୂର୍ଣ୍ଣିମାରେ ଦୋଳଗୋବିନ୍ଦଙ୍କ ନିକଟରେ ସମର୍ପଣ ହୋଇଥିବା ପାଞ୍ଜି ପଣାସଂକ୍ରାନ୍ତିରୁ ପ୍ରଚଳନ ହୋଇଥାଏ।
ପଣାସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଶ୍ରୀକ୍ଷେତ୍ରରେ ବିଭିନ୍ନ ଜାଗା ଆଖଡ଼ା ମାନଙ୍କରେ ପୂଜା ପାଠ କରାଯିବାର ଵିଧି ରହିଛି କ୍ଷ ଜାଗା ଅଖାଡାରେ ନୂଆ କୌପନି ପରିଧାନ କରି ମହାବୀରଙ୍କ ପୂଜା କରିବା ସହ କୁସ୍ତି ଓ ମଲ୍ଲ ଯୋଦ୍ଧା ଅଭ୍ୟାସ କରିଥାନ୍ତି । ସେହିପରି ଶ୍ରୀମନ୍ଦିରରୁ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମହାବୀର ମନ୍ଦିରକୁ ଆଜ୍ଞାମାଳ ବିଜେର ପରମ୍ପରା ରହିଥିବାବେଳେ ନୂତନ ଓଡ଼ିଆ କ୍ୟାଲେଣ୍ଡର ସହିତ ନୂତନ ପାଞ୍ଜି ପ୍ରଚଳନ ଆରମ୍ଭ ମଧ୍ୟ ହୋଇଥାଏ ।
ପୁରାଣ ଅନୁଯାୟୀ, ମହାବିଷୁବ ସଂକ୍ରାନ୍ତି ବେଶ ଗୁରୁତ୍ୱପୂର୍ଣ୍ଣ। ଏହିଦିନ ଜଳବାୟୁରେ ଏକ ପରିବର୍ତ୍ତନ ହୋଇଥାଏ। ସୂର୍ଯ୍ୟ ମଧ୍ୟଭାଗକୁ ଚାଲି ଆସିଥାନ୍ତି। ଏହିଦିନ ସୂର୍ଯ୍ୟ ବିଶୁବରେଖାରେ ଅବସ୍ଥାନ କରିଥାନ୍ତି। ସୂର୍ଯ୍ୟଙ୍କ ପ୍ରବଳ ତାପମାତ୍ରା ଯୋଗୁ ପ୍ରଭୁ ବିଷ୍ଣୁଙ୍କ ପ୍ରିୟ ତୁଳସୀ ମୂଳରେ ପଣା ଅର୍ପଣ କରାଯାଇଥାଏ। ଘରେ ଏଥିପାଇଁ ଛତୁଆ, କଦଳୀ, ନଡ଼ିଆ, ଛେନା, ଆମ୍ବ ଆଦିରେ ସ୍ବତନ୍ତ୍ର ପଣା ପ୍ରସ୍ତୁତ କରାଯାଇଥାଏ। ବେଲ ପଣାରେ ବଟା ଭାଙ୍ଗ ମିଶାଇ ଭାଙ୍ଗ ପଣା ସେବନ ମଧ୍ୟ କରାଯାଇଥାଏ। ଚଣ୍ଡୀ, ଶାରଳା, ବିରଜା ଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଏହି ଦିନ ଝାମୁ ଯାତ୍ରା ପାଳନ କରାଯାଏ। ଆଜିର ଦିନରେ ଓଡ଼ିଆଣୀ ମାନେ ଅଗଣାରେ ଥିବା ତୁଳସୀ ଚଉରା ଉପରେ ଏକ ଛାମୁଣ୍ଡିଆ କରି ଏକ ପାଣିଭର୍ତ୍ତି ଛୋଟ ଠେକି ରଖିଥାନ୍ତି। ଏହା ତଳେ ଏକ ଛୋଟ ଛିଦ୍ର ଥାଏ। ଉକ୍ତ ଛିଦ୍ର ଦେଇ ପାଣି ତୁଳସୀ ଗଛରେ ପଡ଼ିଥାଏ। ଏହି ଦିନ ଓଡ଼ିଶାରେ ହନୁମାନ ଜୟନ୍ତୀ ପାଳନ କରାଯାଏ। ଘଣ୍ଟ ପାଟୁଆମାନେ ଘଣ୍ଟ ମୁଣ୍ଡେଇ, କାଠ ଗୋଡ଼ ପିନ୍ଧି ଠାକୁରାଣୀ ମନ୍ଦିର ଆଗରେ ନିଆଁ ଉପରେ ଚାଲିବାର ପ୍ରଥା ମଧ୍ୟ ରହିଛି। ଦକ୍ଷିଣ ଓଡ଼ିଶାରେ ମାସାଧିକ କାଳ ଧରି ଚାଲିଥିବା ଦଣ୍ଡ ନାଟର ଅନ୍ତ ଭାବେ ଏହି ଦିନ ମେରୁ ଯାତ ପାଳନ କରାଯାଏ। ଲୋକେ ବେଲ ପଣା ଓ ଛତୁଆ ସହ ଏହାକୁ ପାଳନ କରନ୍ତି। ଉତ୍ତର ଓଡ଼ିଶାରେ ଏହି ଦିନକୁ ଚଡ଼କପର୍ବ ନାମରେ ପାଳନ କରାଯାଏ।