ଗଜପତି ଜିଲା ବାଲ୍ୟବିବାହ ମୁକ୍ତ ଘୋଷିତ

ପାରଳାଖେମୁଣ୍ଡି: ଗଜପତି ଜିଲାକୁ ବାଲ୍ୟବିବାହ ମୁକ୍ତ ଘୋଷଣା କରାଯାଇଛି। ଜିଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତା, ଆରକ୍ଷୀ ଅଧୀକ୍ଷକ ସ୍ବାତୀ ଏସ. କୁମାର ଓ ଅତିରିକ୍ତ ଜିଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଉପସ୍ଥିତିରେରେ ଜିଲାକୁ ବାଲ୍ୟବିବାହ ମୁକ୍ତ ଘୋଷଣା କରାଯାଇଛି।

ଗୁରୁବାର ସୁଦ୍ଧା ଗ୍ରାମାଞ୍ଚଳରେ ଥିବା ୧୪୯ଟି ପଞ୍ଚାୟତ, ୧୫୩୪ଟି ରାଜସ୍ବ ଗ୍ରାମ, ୧୭୬ଟି ପଡ଼ାକୁ ବାଲ୍ୟବିବାହମୁକ୍ତ ଘୋଷଣା କରିବା ସହ ଜିଲାରେ ଥିବା ପାରଳାଖେମୁଣ୍ଡି ପୌରପାଳିକାର ୧୬ଟି ୱାର୍ଡ଼ ଏବଂ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ଟି ୱାର୍ଡ଼କୁ ମଧ୍ୟ ବାଲ୍ୟବିବାହ ମୁକ୍ତ ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲା ପ୍ରଶାସନ ପ୍ରାୟ ଦେଢ଼ବର୍ଷ ତଳେ ହାତକୁ ନେଇଥିଲା, ଯାହାକି ୭ ଟି ପର୍ଯ୍ୟାୟରେ ଯଥା ୭ଟି ଜିଲାସ୍ତରୀୟ ‘ଶିଶୁ ପାଇଁ ଦିନଟିଏ’ କାର୍ଯ୍ୟକ୍ରମରେ ହୋଇଥିବା ନିଷ୍ପତ୍ତି କ୍ରମେ ସମସ୍ତ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳକୁ ବାଲ୍ୟବିବାହମୁକ୍ତ ଘୋଷଣା କରାଯାଇଛି।

ବାଲ୍ୟବିବାହ ମୁକ୍ତ କରିବାରେ ପ୍ରଶାସନ ତରଫରୁ ପ୍ରମୁଖ କାର୍ଯ୍ୟଗୁଡିକ ହେଲା ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ‘ପ୍ରତିଜ୍ଞା’ ଦ୍ବାରା ଝିଅମାନଙ୍କୁ ବାଲ୍ୟବିବାହ ପରି କୁପ୍ରଥାକୁ ଦୂରେଇବା, ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ନିୟମିତ କରିବା, ପଞ୍ଚାୟତରାଜ ଅନୁଷ୍ଠାନର ପ୍ରତିନିଧିମାନଙ୍କୁ ଏହି କାର୍ଯ୍ୟରେ ଅନ୍ତର୍ଭୁକ୍ତ କରିବା, ଜିଲାରେ ବସବାସ କରୁଥିବା ବିଭିନ୍ନ ଧର୍ମ, ଜାତି ଏବଂ ସମାଜର ନେତୃବୃନ୍ଦଙ୍କୁ ବାଲ୍ୟବିବାହକୁ ଦୂର କରିବା ପାଇଁ ପ୍ରବର୍ତ୍ତାଇବା, ବିଭିନ୍ନ କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ବାଲ୍ୟବିବାହ ବିରୋଧରେ ଶପଥ ପାଠ କରାଇବା, ବାଲ୍ୟବିବାହ ବିରୋଧରେ କାର୍ଯ୍ୟ କରୁଥିବା ବିଭିନ୍ନ ଅନୁଷ୍ଠାନର ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରିବା ଆଦି ଅନ୍ତର୍ଭୁକ୍ତ ଥିଲା।

Related Articles

Back to top button