ତୃତୀୟ ଦିନରେ ରଥ ଉପରେ ଅନୁଷ୍ଠିତ ହେଉଛି ଅଧରପଣା ନୀତି

ବାହୁଡ଼ା ପରେ ରଥରେ ବିଜେ କରିଛନ୍ତି ଦାରୁଦିଅଁ । ଆଜି ବାହୁଡ଼ା ଯାତ୍ରାର ତୃତୀୟ ଦିନରେ ରଥ ଉପରେ ଅନୁଷ୍ଠିତ ହେଉଛି ଅଧରପଣା ନୀତି। ତିନିରଥକୁ ସ୍ୱତନ୍ତ୍ର ଉପଚାରରେ ପୂଜା କରାଯାଇ ପ୍ରସ୍ତୁତ କରାଯାଇଥିବା ସମୟରେ ରଥରେ ବହୁ ଦେବଦେବୀ ବିରାଜମାନ କରିଥାନ୍ତି । ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହେବା ପରେ ପାର୍ଶ୍ୱ ଦେବଦେବୀ ଓ ଅନ୍ୟାନ୍ୟ ଚଣ୍ଡୀ ଚାମୁଣ୍ଡାଙ୍କୁ ତୃପ୍ତ କରିବାକୁ ଅଧରପଣା କରାଯାଇ ଅଧର ହାଣ୍ଡିକୁ ରଥଉପରେ ଭଙ୍ଗା ଯିବାର ବିଧି ରହିଛି । ସ୍ୱତନ୍ତ୍ର ଭାବେ ଏହି ପଣାକୁ ଶ୍ରୀବିଗ୍ରହ ମାନଙ୍କର ଅଧର ପର୍ଯ୍ୟନ୍ତ ନିର୍ମିତ ୩ଟି ତୁମ୍ଭାକାର ହାଣ୍ଡିରେ ପ୍ରସ୍ତୁତ କରାଯାଇଥାଏ । ଛେନା, ଛାଚି, କ୍ଷୀର, ସର, ଗୋଲମରିଚ, କର୍ପୁର, ଜାଇଫଳ, କଦଳୀ ଆଦିକୁ ମିଶ୍ରଣ କରାଯାଇ ପଣା ପ୍ରସ୍ତୁତ କରାଯିବା ସହ ଏହାକୁ ରଥ ଉପରେ ଭଙ୍ଗାଯିବ ।

ସିଂହଦ୍ୱାର ସମ୍ମୁଖ ଛାଉଣୀମଠର କୂଅରୁ ପାଣିଆ ଆପଟ ସେବକ ପଣା ପାଇଁ ପାଣି ଯୋଗାଉଛନ୍ତି । ପରେ ପତ୍ରିବଡୁ, ସୁଆର ବଡୁ, ଗରାବଡୁ ସେବକ ତିନିରଥରେ ପଣା ପ୍ରସ୍ତୁତ କରିବା ସହ ପୂଜାପଣ୍ଡାମାନେ ପଞ୍ଚ ଉପଚାରରେ ପୂଜା କରିବା ପରେ ରଥ ଉପରେ ଅଧର ହାଣ୍ଡିକୁ ଭାଙ୍ଗାଯିବ । ମଧ୍ୟାହ୍ନ ଧୂପ ପରେ ଅଧର ପଣା ନୀତି ଅନୁଷ୍ଠିତ ହେଉଛି। ଆସନ୍ତାକାଲି ନୀଳାଦ୍ରି ବିଜେ କରିବେ ନୀଳାଦ୍ରିନାଥ । କାଲି ସୁନାବେଶ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ଲକ୍ଷାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଏହି ଅନନ୍ୟ ବେଶ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ।

Related Articles

Back to top button