ଆଜି ପହିଲି ରଜ
ଆଜି ପହିଲି ରଜ । ଘରେ ଘରେ ହସ ଖୁସିର ଆସର । ପିଠାପଣା , ଆମ୍ବ, ପଣସ ଆଉ ଖାଲି ପାନରେ ମହକୁମା ଗାଁ । ଆମ ଓଡ଼ିଆ ଘରର ପର୍ବ ରଜ। ବରଷକୁ ଥରେ ପାଳିତ ହେଉଥିବା ଏହି କୃଷିଭିତ୍ତିକ ପର୍ବକୁ ଗାଁ ଗହଳିଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବେଶ୍ ଜାକଜମକରେ ଲୋକେ ପାଳିଥାନ୍ତି। ସାଧାରଣତଃ କୃଷକମାନେ ରଜସଂକ୍ରାନ୍ତି ପୂର୍ବରୁ କ୍ଷେତରେ ଧାନ ବୁଣି ବର୍ଷାର ଆଗମନକୁ ଅପେକ୍ଷା କରିଥାନ୍ତି। ଆଗ ସମୟରେ ରଜ ତିନିଦିନରେ ଝିଅମାନେ କଦଳୀ ପାଟୁକା ଓ ଗୁଆ ଖୋଳପା ପାଦରେ ବାନ୍ଧି ଚଲାବୁଲା କରୁଥିଲେ।
ଗାଁଗହଳିରେ ଏବେ ପର୍ଯ୍ୟନ୍ତ ରଜକୁ ପାରମ୍ପରିକ ଢଙ୍ଗରେ ଲୋକେ ପାଳନ କରୁଛନ୍ତି। ତିନିଦିନ ରଜରେ ଝିଅ, ବୋହୂମାନେ ଘରର ସବୁ କାମ ସାରି ସଜ ହୁଅନ୍ତି। ନୂଆଲୁଗା ପିନ୍ଧି ପଡ଼ିଶା ଘରକୁ ବୁଲି ବାହାରନ୍ତିି। ଦୋଳି ଖେଳ, ପୋଡ଼ ପିଠା ସାଙ୍ଗକୁ ଖିଲି ପାନ ହେଉଛି ଏହି ପର୍ବର ମୁଖ୍ୟ ଆକର୍ଷଣ। ରଜ ତିନି ଦିନ ହେଉଛି ପହିଲି ରଜ, ରଜ ସଂକ୍ରାନ୍ତି ଓ ଭୂମି ଦହନ। ଏହି ତିନି ଦିନରେ କୃଷି କାର୍ଯ୍ୟ ମଧ୍ୟ ନିଷେଧ। ରଜର ଚତୁର୍ଥ ଦିନ ବସୁମତୀ ସ୍ନାନ ପାଳନ ସହ ରଜ ଶେଷ ହୁଏ।