ଆଜି ସୁନାବେଶରେ ମହଣ ମହଣ ସୁନାରେ ସୁଶୋଭିତ ହୋଇ ଝଟକୁଛନ୍ତି ରଥାରୁଢ ମହାପ୍ରଭୁ

ଆଜି ସୁନାବେଶରେ ମହଣ ମହଣ ସୁନାରେ ସୁଶୋଭିତ ହୋଇ ଝଟକୁଛନ୍ତି ରଥାରୁଢ ମହାପ୍ରଭୁ । ସୁବର୍ଣ୍ଣ ଆଭୂଷଣରେ ସୁସଜ୍ଜିତ ହୋଇଛତି ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା । ଚତୁର୍ଦ୍ଧାମୂର୍ତିଙ୍କୁ ସୁନାବେଶକୁ ରାଜାଧିରାଜ ବେଶ ବା ରାଜା ବେଶ ଓ ରାଜରାଜେଶ୍ୱର ବେଶ ବୋଲି ମଧ୍ୟ କୁହାଯାଏ । ସିଂହଦ୍ୱାର ସମ୍ମୁଖରେ ଶ୍ରୀଜିଉମାନେ ଭକ୍ତମାନଙ୍କୁ ସୁନାବେଶରେ ଥାଇ ଦର୍ଶନ ଦେଉଛନ୍ତି । ମଥାରେ ସୁନାର କିରିଟ ସାଙ୍ଗକୁ କାନରେ ସୁନାର କୁଣ୍ଡଳ । କମରରେ ସୁନାର କମରପଟି, ପାଦରେ ଶ୍ରୀପୟର ।ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ହସ୍ତରେ ସୁବର୍ଣ୍ଣର ହଳମୁଷଳ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହସ୍ତରେ ସୁବର୍ଣ୍ଣର ଚକ୍ର ଓ ରୁପାର ଶଙ୍ଖ । ମା’ ସୁଭଦ୍ରାଙ୍କ ସୁବର୍ଣ୍ଣର ତଡ଼ଗି(କର୍ଣ୍ଣାଳଙ୍କାର) । ସାଙ୍ଗକୁ ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା ଆଦି ଆଭୂଷଣ । ଧରାପୃଷ୍ଠରେ ଆଜି ଏଭଳି ମାନବୀୟ ଲୀଳା ଖେଳିଛନ୍ତି କୋଟି କୈବଲ୍ୟନାଥ ବ୍ରହ୍ମାଣ୍ଡ ଠାକୁର । ପାଦରୁ ମସ୍ତକ ମହଣ ମହଣ ସୁବର୍ଣ୍ଣ ଅଳଙ୍କାରରେ ଆଭୂଷିତ ହୋଇ ଅଗଣିତ ଭକ୍ତଙ୍କୁ ରଥ ଉପରୁ ଦେଇଛନ୍ତି ଦର୍ଶନ ।ମହାପ୍ରଭୁଙ୍କ ସୁନା ବେଶ ଦେଖିବା ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଲାଗି ରହିଛି । ରାତ୍ର ୧୧ଟା ପର୍ଯ୍ୟନ୍ତ ଭକ୍ତ ମାନେ ମହାପ୍ରଭୁଙ୍କ ସୁନାବେଶ ଦେଖିପାରିବେ ବୋଲି ମଧ୍‌ଯ ପ୍ରଶାସନ ନିଷ୍ପତି ନେଇଛି ।

Related Articles

Back to top button