ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା: ଆରମ୍ଭ ହେଲା ରଥ ଟଣା

ଶ୍ରୀକ୍ଷେତ୍ର ଧାମ ପୁରୀରେ ଅନୁଷ୍ଠିତ ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ନିଜର ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ରତ୍ନ ସିଂହାସନରୁ ବଡଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ଚତୁର୍ଦ୍ଧା ବିଗ୍ରହ । ରବିବାର ସକାଳେ ଆଷାଢମାସ ଶୁକ୍ଳ ପକ୍ଷ ଦ୍ୱିତୀୟ ତିଥିରେ ପବିତ୍ର ରଥଯ।ତ୍ରା ଅନୁଷ୍ଠିତ ହେଉଛି। ସକାଳୁ ସକାଳୁ କାହାଳୀ, ଘଣ୍ଟର ତାଳେ ତାଳେ ଶ୍ରୀ ଜୀଉମାନଙ୍କର ଧାଡି ପହଣ୍ଡି କରାଯାଇଥିଲା। ଭକ୍ତଙ୍କର ହରିବୋଲ ହୁଳହୁଳୀ ଶବ୍ଦରେ ପ୍ରକମ୍ପିତ ହୋଇଥିଲା ବଡଦାଣ୍ଡ । ମଦନ ମୋହନ, ରାମ, କୃଷ୍ଣ, ବିଜେ ହୋଇସାରିବା ପରେ ବିଗ୍ରହମାନଙ୍କର ମସ୍ତକରେ ସୋଲରେ ନିର୍ମିତ ଚିତା ଲାଗି କରାଯାଇଥିଲା ।

ତାମଯାନରେ ଗଜପତି ମହାରାଜ ଶ୍ରୀନଅରରୁ ରଥ ନିକଟକୁ ଆସିଥିଲେ । ସୁବର୍ଣ୍ଣ ମାର୍ଜନୀରେ ରଥ ଛେରା ପହଁରା କରିଥିଲେ । ଛେରା ପହଁରା କାର୍ଯ୍ୟ ପରେ ଭୋଇ ସେବକମାନେ ସାରଥୀଙ୍କୁ ରଥାରୂଢ କରାଇଥିଲେ । ଚାରମାର ଫିଟା ପରେ, ବଳଭଦ୍ରଙ୍କ ରଥରେ ବାସୁକୀ, ସୁଭଦ୍ରାଙ୍କ ରଥରେ ସ୍ବର୍ଣ୍ଣଚୂଡ ଓ ଜଗନ୍ନାଥଙ୍କ ରଥରେ ଶଙ୍ଖଚୂଡ ନାମକ ରଜ୍ଜୁ ସଂଯୋଗ କରିବା ପରେ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଥିଲା । ବଳଭଦ୍ରଙ୍କ ରଥକୁ ଭକ୍ତମାନେ ବଡଦାଣ୍ଡରେ ଟାଣିଟାଣି ଗୁଣ୍ଡିଚା ମନ୍ଦିର ଅଭିମୁଖେ ନେଇଥିଲେ। ଏହାପରେ ବଡ଼ ଭାଇ ବଳଭଦ୍ରଙ୍କ ପଛେ ପଛେ ବାହାରିଥିଲେ ଦେବୀ ସୁଭଦ୍ରା। ଆନନ୍ଦ ଉଲ୍ଲାସ ସହ ଦେବୀ ସୁଭଦ୍ରାଙ୍କ ଦର୍ପଦଳନକୁ ଶ୍ରଦ୍ଧାଳୁ ଟାଣିଥିଲେ। ଏହାପରେ ଟଣା ହୋଇଥିଲା ମହାପ୍ରଭୁ କାଳିଆର ନନ୍ଦିଘୋଷ ରଥ । ବଡ଼ଦାଣ୍ଡରେ ଗଡ଼ିଥିଲା ନନ୍ଦିଘୋଷ ରଥ । ଭକ୍ତଙ୍କ ଭିଡ଼ରେ ଗଡ଼ିଛି ନନ୍ଦିଘୋଷ । ଆଗେ ଆଗେ ବଡ଼ ଭାଇ ବଳଭଦ୍ର, ମଝିରେ ଭଉଣୀ ସୁଭଦ୍ରା ଏବଂ ପଛରେ ଟଣା ହୋଇଥିଲା ମହାବାହୁଙ୍କ ନନ୍ଦିଘୋଷ। ଘଣ୍ଟଘଣ୍ଟା, ମୃଦଙ୍ଗ, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ଶ୍ରୀକ୍ଷେତ୍ର। ଶ୍ରୀଜୀଉଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଭକ୍ତଙ୍କ ଭିଡ଼ ଜମିଥିଲା। ସନ୍ଧ୍ୟା ପରେ ଶ୍ରୀଜୀଉମାନଙ୍କ ରଥଟଣାକୁ ବନ୍ଦ ଘୋଷଣା କରାଯାଇଥିଲା। ଆସନ୍ତାକାଲି ବଳଭଦ୍ରଙ୍କ ତାଳଧ୍ବଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ କାଳିଆର ନନ୍ଦିଘୋଷ ରଥ ଟଣାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ରବିବାର ବଡ଼ଦାଣ୍ଡରେ ହୋଇଥିଲା ଭକ୍ତ ଓ ଭଗବାନଙ୍କ ମହାମିଳନ। ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ନବଦିନ ବ୍ୟାପୀ ଘୋଷଯାତ୍ରା ଆରମ୍ଭ କରିଛନ୍ତି କାଳିଆ ଠାକୁର ଶ୍ରୀଜଗନ୍ନାଥ। ଏଥିପାଇଁ ଲୋକାରଣ୍ୟ ହୋଇଯାଇଛି ସମଗ୍ର ପୁରୀ ସହର। ଦେଶ ବିଦେଶର ବିଭିନ୍ନ ସ୍ଥାନରୁ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟୁଛି। ଜଳ, ସ୍ଥଳ ଓ ଆକାଶ ପଥରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏବର୍ଷ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଉତ୍ସବ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେଉଛି।

ପ୍ରାୟ ୧୦ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୧୮୦ ପ୍ଲାଟୁନ ପୁଲିସ ଫୋର୍ସଙ୍କ ସମେତ ପ୍ରାୟ ୨ହଜାର ଅଭିଜ୍ଞ ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଚାରିଜଣ ଅତିରିକ୍ତ ପୁଲିସ ମହାନିର୍ଦେଶକ, ୬ ଆଇଜି ଓ ଡିଆଇଜି, ୨୦ ଆରକ୍ଷୀ ଅଧୀକ୍ଷକ ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି। ୧୮ ଅସ୍ଥାୟୀ ଗାଡ଼ି ରହଣିସ୍ଥଳ କରାଯାଇଛି। ୬୧ କ୍ଲୋଜ ସର୍କିଟ କ୍ୟାମେରା ଲଗାଯାଇଛି। ଲୋକଙ୍କ ଯାତାୟାତ ପାଇଁ ୩୧୫ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଛି। ୩୧୪ ବ୍ଲକରୁ ପୁରୀକୁ ସ୍ୱତନ୍ତ୍ର ବସ୍‌ ଚଳାଚଳ ବ୍ୟବସ୍ଥା କରାଯାଇଛି। ସେହିପରି ସ୍ୱାସ୍ଥ୍ୟ, ପରିମଳ, ଟ୍ରାଫିକ ନିୟନ୍ତ୍ରଣ, ରାସ୍ତା ମରାମତି, ନିରବଚ୍ଛିନ୍ନ ବିଜୁଳି ଓ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି।

Related Articles

Back to top button