ଅନୁଗୁଳରେ ସିରିଜ ଦୁର୍ଘଟଣା ଘଟାଇଲା ଟ୍ରିପର : ଗାଡ଼ିକୁ ଧକ୍କା ଦେବା ସହ ବାଟ ଚଲା ଲୋକଙ୍କୁ ପିଟିଲା, ୫ ଆହତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହିଧରପୁରରେ ସିରିଜ ଦୁର୍ଘଟଣା ଘଟାଇଲା ଟ୍ରିପର। ଗୋଟିଏ ପରେ ଗୋଟିଏ ଗାଡ଼ିକୁ ଧକ୍କା ଦେବା ସହ ବାଟ ଚଲା ଲୋକଙ୍କୁ ବି ପଛରୁ ପିଟିଲା। ଏହି ଦୁର୍ଘଟଣାରେ ପାଞ୍ଚ ଜଣ ଆହତ ହୋଇଛନ୍ତି। ଟ୍ରିପଟି ଗୋଟିଏ ଗାଡି ଏବଂ ଲୋକଙ୍କୁ ଧକ୍କା ଦେଇ ପଳାଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଫସିଯାଇଥିଲା।

ସୂଚନା ଅନୁସାରେ ଅନୁଗୁଳ ପଟରୁ ଏକ ଖାଲି ଟ୍ରିପର ମହିଧରପୁର ଦେଇ ଯାଉଥିବା ବେଳେ ମହିଧରପୁର ବଜାର ଭିତରେ  ରାସ୍ତାରେ ଯାଆସ କରୁଥିବା ଗୋଟିଏ ପରେ ଗୋଟିଏ ଗାଡିକୁ ଧକା ଦେଇଥିଲା। ଏପରିକି ରାସ୍ତାରେ ଯାଉଥିବା କିଛି ଲୋକଙ୍କୁ ମଧ୍ୟ ଧକ୍କା ଦେଇଥିଲା। ଟ୍ରିପର ଧକ୍କାର ଏକ କାର ବି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ସେଥିରେ ଥିବା ବାପ-ପୁଅ ଆହତ ହୋଇଛନ୍ତି। ଗାଡ଼ି ଧକ୍କାରେ ଅନ୍ୟ ତିନି ଜଣ ପଥଚାରି ମଧ୍ୟ ଆହତ ହୋଇଛନ୍ତି।

ସମସ୍ତ ଆହତମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଭର୍ତ୍ତି କରାଯାଇଛି। ତେବେ ଧକ୍କା ଦେବା ପରେ ଦ୍ରୁତ ଗତିରେ ଟ୍ରିପରଟି ପଳାଇ ଯାଉଥିବା ବେଳେ ନିଜେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ବାଉଁଶ ବୁଦା ଭିତରେ ପଶି ଯାଇଥିଲା। ଖବର ପାଇ ପୁଲିସ ଘଟଣା ପହଞ୍ଚି ଗାଡିକୁ ଜବତ କରିଥିବା ବେଳେ ଡ୍ରାଇଭର ଭୟରେ ଫେରାର ହୋଇଯାଇଛି।

Related Articles

Back to top button