ବିବାହ ଭୋଜି ଖାଇବାକୁ ଯାଉଥିବା ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ୫୨ ଆହତ, ୧୮ ଗୁରୁତର

୧୮ଜଣ ଗୁରୁତର ହୋଇଥିବାରୁ ବ୍ରହ୍ମପୁର ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛନ୍ତି

କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ପାଙ୍ଗାଲୀ ଗ୍ରାମ ନିକଟ ଶିଝିଗାଣ୍ଡା ଘାଟିରେ ବିବାହ ଭୋଜି ଖାଇବା ପାଇଁ ଯାଉଥିବା ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଯାତ୍ରା କରୁଥିବା ୫୨ଜଣ ଆହତ ହୋଇଥିବା ବେଳେ ୧୮ଜଣ ଗୁରୁତର ହୋଇଛନ୍ତି।

ସୂଚନାନୁଯାୟୀ, ବ୍ରାହ୍ମଣଗାଁ ଥାନା ଅନ୍ତର୍ଗତ ପୁଟୁଡୁମାହା ଗ୍ରାମର ଝିଅ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପାଙ୍ଗାଲୀ ଗ୍ରାମରେ ଶୁକ୍ରବାର ବିବାହ କରିଥିଲେ। ଆଜି ପୁଟୁଡୁମାହା ଗ୍ରାମର ଝିଅ ପରିବାର ଓ ସମ୍ପର୍କୀୟମାନେ ପାଙ୍ଗାଲୀ ଗ୍ରାମକୁ ଏକ ଖୋଲା ଟ୍ରକ୍‌ରେ ଭୋଜି ଖାଇବା ପାଇଁ ଆସୁଥିଲେ। ପାଙ୍ଗାଲୀ ଗ୍ରାମ ନିକଟ ଶିଝିଗାଣ୍ଡା ଘାଟିରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ୫୨ଜଣ ଆହତ ହୋଇଥିଲେ। ସେଥିରୁ ୧୮ଜଣ ଗୁରୁତର ହୋଇଥିବାରୁ ବ୍ରହ୍ମପୁର ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଥିବା ଥିବା ଜନସାସ୍ଥ୍ୟ ଅଧିକାରୀ ଡା.ଜାକେଶ ସାମନ୍ତରାୟ ସୂଚନା ଦେଇଛନ୍ତି। ଦୁର୍ଘଟଣା ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆହତ ଲୋକଙ୍କୁ ଦାରିଙ୍ଗବାଡ଼ି ମେଡିକାଲରେ ଭର୍ତ୍ତି କରିଥିଲେ। ଗୁରୁତରମାନେ ହେଲେ ତରାମାହା ଗ୍ରାମର ଜନାଆଲୁ ମଳିକ,ମଇସକ ମଳିକ, ପୁଟୁଡୁମାହା ଗ୍ରାମର ମାର୍ଥା ମଲିକ,ପ୍ରକାଶ ବେହେରାମାଝି , ପ୍ରଫୁଲ ମଲିକ, ଗୀତ ମଝି, ସୁବଳ ମୁଠାମଝି,ସୁନୀତ ମାଝି ,ନିରଳା ମାଝି ଓ ମାଣ୍ଟୁ ମଲିକ,ତାରାମାହା ଗ୍ରାମର ପ୍ରଫୁଲ ମଲିକ,ପ୍ରତାପ ମଳିକ, ବେଙ୍ଗେମାହା ଗ୍ରାମର ସନଜ ମଳିକ, ଜିନତି ମଝି,କାଲିଙ୍ଗି ଗ୍ରାମର ସାରା ମଳିକ, ଜିନତି, ନାଜାଲି ମଲିକ,ଗାହାକିଆ ଗ୍ରାମର ଏଷ୍ଟର ପ୍ରଧାନକୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି। ମେଡିକାଲରେ ଥାନାଧିକାରୀଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ, ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହିତ ତହସିଲଦାର ଚାର୍ଲସ ନାୟକ, ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ଉପସ୍ଥିତ ରହି ଦେଖାଶୁଣା କରୁଛନ୍ତି। ଏହି ଘଟଣାରେ ଦାରିଙ୍ଗବାଡ଼ି ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନାଧିକାରୀ କହିଛନ୍ତି ।

Related Articles

Back to top button