ପୁଣି ଆତ୍ମସମର୍ପଣ କରିଛନ୍ତି ଦୁଇ ହାର୍ଡକୋର ମହିଳା ମାଓବାଦୀ

ଦୁଇ ଜଣ ହାର୍ଡକୋର ମହିଳା ମାଓବାଦୀ ପୋଲିସ ସାଉଥ ରେଞ୍ଜ ଆଇଜିପି ଜୟନାରାୟଣ ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ବୌଦ୍ଧ ଜିଲା ପୋଲିସ ମୁଖ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆତ୍ମସମର୍ପଣ କରିଥିବା ଦୁଇ ମହିଳା ହାର୍ଡକୋର ମାଓବାଦୀଙ୍କୁ ସ୍ୱାଗତ କରିବା ସହ ସରକାରଙ୍କ ସମସ୍ତ ସୁବିଧା ଯୋଗାଇଦେବା ପାଇଁ ପ୍ରତିଶୃତି ଦେଇଥିଲେ। ଦୁଇ ମହିଳା ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ ସମୟରେ ଏସପି ରାଜ ପ୍ରସାଦଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ତେବେ ଆତ୍ମସର୍ମପଣ କରିଥିବା ଦୁଇ ହାର୍ଡକୋର ମାଓବାଦୀ ହେଲେ ମନୀଷା ଥାଟି ଏବଂ ଚମ୍ପା କୋରାମ । ଦୁହେଁ ଛତିଶଗଡର ହୋଇଥିବାବେଳେ କେକେବିଏନ୍ ଡିଭିଜନରେ ଯୋଗ ଦେଇଥିଲେ। ସେମାନେ ୨୦୧୮ ମସିହାଠାରୁ ସିପିଆଇ (ମାଓବାଦୀ) ସଂଗଠନରେ କାର୍ଯ୍ୟ କରୁଥିଲେ। ଉଭୟ ଛତିଶଗଡ ଏବଂ ଓଡିଶାରେ ଅନେକ ହିଂସା ଘଟଣାରେ ଜଡିତ ଥିଲେ। ମାଓବାଦୀ ସଂଗଠନରେ ମହିଳା କ୍ୟାଡରକୁ ଯୌନ ଉତ୍ପୀଡ଼ନ, ମିଥ୍ୟା ପ୍ରତିଶ୍ରୁତି , ସାନମାନଙ୍କୁ ଭୟଭୀତ କରାଇବା ତଥା ପାଣ୍ଠି ଯୋଗାଇବା ଭଳି ଅନୈତିକ କାର୍ଯ୍ୟକଳାପ କରୁଥିବା ଯୋଗୁଁ ସେମାନେ ବିବ୍ରତ ଓ ନିରାଶ ହୋଇଥିଲେ। ଶେଷରେ ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନଃ ଥଇଥାନ ଯୋଜନାରେ ଆକର୍ଷିତ ହେବା ସହ ସାଧାରଣ ଜୀବନଯାପନ କରିବାକୁ ମନସ୍ଥ କରି ସେମାନେ ଆତ୍ମସମର୍ପଣ କରିଥିବା କହିଛନ୍ତି। ଅନ୍ୟପକ୍ଷରେ ଏବେ ବି ଯେଉଁମାନେ ମାଓବାଦୀ ସଂଗଠନରେ କାର୍ଯ୍ୟ କରୁଛନ୍ତି , ସେମାନେ ଆତ୍ମସମର୍ପଣ କରି ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନଃ ଥଇଥାନ ଯୋଜନାର ସୁଯୋଗ ନେବାକୁ ସାଉଥ ରେଞ୍ଜ ଆଇଜିପି ଓ ଏସ୍‌ପି ପରାମର୍ଶ ଦେଇଛନ୍ତି।

Related Articles

Back to top button