ଭୁବନେଶ୍ୱରରେ ଏସପିସିବି ଓ ବିଏମସିର ମିଳିତ ପ୍ରୟାସରେ ୨ଟି ‘ସିଏଏକ୍ୟୁଏମଏସ’ ମେଶିନ୍ ଲାଗିବ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବାୟୁ ପ୍ରଦୂଷଣ ହ୍ରାସ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏସସି) ପକ୍ଷରୁ ଏକ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି । ନିକଟରେ ଏନେଇ ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି) ଓ ବିଏମସିର ମିଳିତ ପ୍ରୟାସରେ ରାଜଧାନୀରେ ଅତ୍ୟାଧୁନିକ ମେଶିନ୍ ଲାଗିବ । ଏହି ମେଶିନର ନାମ ହେଉଛି ‘କ୍ରମାଗତ ପରିବେଶ ବାୟୁ ଗୁଣବତ୍ତା ମନିଟରିଂ ଉପକରଣ ବ୍ୟବସ୍ଥା (ସିଏଏକ୍ୟୁଏମଏସ)’ ।

ପଟିଆ ସ୍ଥିତ ଏଲ.ଭି ପ୍ରସାଦ ଆଇ ହସ୍ପିଟାଲ ଓ ଲିଙ୍ଗରାଜ ଷ୍ଟେସନ ନିକଟରେ ଦୁଇଟି ସ୍ଥାନରେ ୨ଟି ମେସିନ୍ ଲାଗିବ । ଦୁଇଟି ମେସିନ୍ ପାଇଁ ୨ କୋଟି ଟଙ୍କା ଖର୍ଚ୍ଚ କରାଯାଇ ବାୟୁରେ ରହିଥିବା ବିଭିନ୍ନ ଗ୍ୟାସ୍ ଉପରେ ଉପରେ ଅନେକ ତଥ୍ୟ ଜାଣିବା ସମ୍ଭବ ହୋଇପାରିବ । ପୂର୍ବରୁ ଦିଲ୍ଲୀ ସହିତ ବହୁ ବଡ଼ ବଡ଼ ସହରମାନଙ୍କରେ ଏହି ମେସିନ୍ ଲାଗିଥିବା ବେଳେ ରାଜ୍ୟରେ ପ୍ରଥମ ଥର ପାଇଁ ଏହି ମେସିନ୍ ଲାଗିବା ନେଇ ନିଷ୍ପତ୍ତି ହୋଇଛି ।

ସୂଚନାଯୋଗ୍ୟ ଯେ, ରାଜଧାନୀର ସୁନ୍ଦରପଦା, ପଟିଆ, ଲିଙ୍ଗରାଜ ଷ୍ଟେସନ, ବରମୁଣ୍ଡା ଓ ମଞ୍ଚେଶ୍ୱର ଆଦି ୫ଟି ସ୍ଥାନ ହଟସ୍ପଟ ଭାବେ ଚିହ୍ନଟ ହୋଇଛି । ଏହି ସବୁ ଅଞ୍ଚଳରେ ବାୟୁ ପ୍ରଦୂଷଣର ମାତ୍ରା ୧୦୦ରୁ ଅଧିକ ରହିଛି । ମଞ୍ଚେଶ୍ୱରରେ ରହିଥିବା ଏକାଧିକ କଳାକାରଖାନାରୁ ନିର୍ଗତ ବିଷାକ୍ତ ବାୟୁ ହୃଦରୋଗୀ, ଶ୍ୱାସରୋଗୀ ଓ ଗର୍ଭବତୀଙ୍କ ପାଇଁ ବିପଦ ସାଜିଛି । ଆଗକୁ ପରିସ୍ଥିତି ଭୟଙ୍କର ରୂପ ଧାରଣ କରିବା ପୂର୍ବରୁ ଏନେଇ ସତର୍କ ରହିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି ।

ସେହିପରି ବାୟୁ ପ୍ରଦୂଷଣ ହ୍ରାସ ପାଇଁ ନିକଟରେ ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ‘ମିଶନ ଲାଇଫ୍’ ଅଭିଯାନ ଆରମ୍ଭ କରାଯାଇଥିଲା । ଏକ କ୍ଷେତ୍ରୀୟ ସଂସ୍ଥା ଭାବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି କାର୍ଯ୍ୟ ଆରମ୍ଭ କରିଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମର ତଥ୍ୟ ପ୍ରତି ମାସରେ ପୋର୍ଟାଲରେ ଅପଲୋଡ୍ କରାଯିବ । ଜଳ ଓ ଶକ୍ତି କ୍ଷେତ୍ର, ଖାଦ୍ୟ ଗ୍ରହଣ ଓ ଜୀବନଶୈଳୀ ଏଭଳି ଭାବେ ୭୫ ପ୍ରକାରର କାର୍ଯ୍ୟର ସୁପରିଚାଳନା ନେଇ ଜନସାଧାରଣଙ୍କୁ ଏହି ଅଭିଯାନ ମାଧ୍ୟମରେ ଅବଗତ କରାଯିବ ।

Related Articles

Back to top button