ଆସନ୍ତା ୨୦ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ
ଆସନ୍ତା ୨୦ ତାରିଖରେ ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ, ଭାରତ ସରକାର, ଧର୍ମେନ୍ଦ୍ର ପ୍ରଧାନ ଓଡିଶା ଗସ୍ତରେ ଆସୁଛନ୍ତି। ସେମାନଙ୍କ ଗସ୍ତ ସମୟରେ ଅଶ୍ୱିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ ନଭେମ୍ବର ୨୦ ଅପରାହ୍ନରେ ସମ୍ବଲପୁର ରେଳ ଷ୍ଟେସନରୁ ବନାରସ-ସମ୍ବଲପୁର-ବନାରସ ଦ୍ୱି-ସାପ୍ତାହିକ ଏକ୍ସପ୍ରେସର ବିଶାଖାପାଟନମ୍ ପର୍ୟ୍ୟନ୍ତ ସମ୍ପ୍ରସାରଣକୁ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରିବେ। ସମ୍ବଲପୁରରେ ଏହି ଅବସରରେ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ଏବଂ ବିଧାୟକ ଜୟନାରାୟଣ ମିଶ୍ର ଉପସ୍ଥିତ ରହିବେ। ଏହା ବ୍ୟତୀତ, ଭିଡିଓ କନଫରେନ୍ସିଂ ମାଧ୍ୟମରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ବରଗଡ ରେଳ ଷ୍ଟେସନ ଠାରେ, ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓ ଏବଂ ନିରଂଜନ ବିଶି ବଲାଙ୍ଗୀର ରେଳ ଷ୍ଟେସନରେ ଏବଂ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଏବଂ ଶ୍ରୀ ସୁଜିତ କୁମାର କେସିଙ୍ଗା ରେଳ ଷ୍ଟେସନ ଠାରେ ଏହି କାର୍ୟ୍ୟକ୍ରମରେ ଯୋଗଦାନ କରିବେ।
ଉଦ୍ଘାଟନୀ ଦିବସରେ ଏହି ଟ୍ରେନ୍ ସମ୍ବଲପୁରରୁ ଶୁଭାରମ୍ଭ କରି ବିଶାଖାପାଟନମ୍ କୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଯାତ୍ରା କରିବ ଏବଂ ଏହି ଟ୍ରେନ୍ ପାଇଁ ସମ୍ପ୍ରସାରିତ ଅଂଶରେ ନିୟମିତ ସେବା ୨୨ ତାରିଖ ରୁ ବିଶାଖାପାଟନମ୍ ଠାରୁ ଏବଂ ୨୩ ତାରିଖରେ ବନାରସରୁ ଚଳାଚଳ କରିବ। ବିଶାଖାପାଟନମ୍ ପର୍ୟ୍ୟନ୍ତ ଏହି ଟ୍ରେନର ସମ୍ପ୍ରସାରଣ ଦକ୍ଷିଣ ଏବଂ ପଶ୍ଚିମ ଓଡିଶାର ଲୋକଙ୍କ ପାଇଁ ଏକ ଯୁଗାନ୍ତ ପରିବର୍ତ୍ତନ। ଏହି ଟ୍ରେନର ସମ୍ବଲପୁରରୁ ବିଶାଖାପାଟନମ୍ ପର୍ୟ୍ୟନ୍ତ ସମ୍ପ୍ରସାରଣ ପଶ୍ଚିମ ଏବଂ ଦକ୍ଷିଣ ଓଡିଶାର ଅଧିବାସୀଙ୍କ ପାଇଁ ବ୍ୟବସାୟ, ଶିକ୍ଷା ଏବଂ ଚିକିତ୍ସା ଭଳି ବିଭିନ୍ନ କାରଣ ସମ୍ବନ୍ଧରେ ଯାତ୍ରା କରିବା ସହଜ କରିବ ଏବଂ ଏହା ଉକ୍ତ ଅଞ୍ଚଳ ପାଇଁ ଜୀବନ ରେଖା ଭାବେ ପରିଗଣିତ ହେବ। ସମ୍ବଲପୁର ଏବଂ ବନାରସ ମଧ୍ୟରେ ଏହି ଟ୍ରେନ୍ ପାଇଁ ନିର୍ଦ୍ଧାରିତ ସମୟ ଏବଂ ରହଣି ଷ୍ଟେସନକୁ କୌଣସି ପ୍ରକାର ବ୍ୟାଘାତ ନ ଦେଇ ଏହି ଟ୍ରେନ୍ କୁ ବିଶାଖାପାଟନମ୍ ପର୍ୟ୍ୟନ୍ତ ସମ୍ପ୍ରସାରିତ କରାଯାଇଛି ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।