କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଡେଲୋଏଟର ଗ୍ଲୋବାଲ ସିଇଓ, ଭୁବନେଶ୍ୱରରେ ହେବ ଡେଲୋଏଟର ଟେକ୍ନୋଲୋଜି ସେଣ୍ଟର

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଡେଲୋଏଟର ଗ୍ଲୋବାଲ ସିଇଓ । ଖୁବଶୀଘ୍ର ଭୁବନେଶ୍ୱରରେ ଖୋଲିବ ଡେଲୋଏଟର ବୃହତ ଟେକ୍ନୋଲୋଜି ସେଣ୍ଟର । ଯୁବବର୍ଗଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବା ସହ ପ୍ରଯୁକ୍ତିବିଦ୍ୟା ଓ ଦକ୍ଷତା ବିକାଶର ଇକୋସିଷ୍ଟମକୁ ସୁଦୃଢ଼ କରିବ।

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ କ୍ରମେ ବିଶ୍ୱର ପ୍ରତିଷ୍ଠିତ ଆଇଟି କମ୍ପାନୀ ଡେଲୋଏଟ ଭୁବନେଶ୍ୱରରେ ବୃହତ ଟେକ୍ନୋଲୋଜି ସେଣ୍ଟର ଖୋଲିବାକୁ ଯାଉଛି। ଏହି କ୍ରମରେ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଡେଲୋଏଟର ଗ୍ଲୋବାଲ ସିଇଓ ପୁନିତ ରେନ୍‌ଜେନ୍‌ ସାକ୍ଷାତ କରିଛନ୍ତି । ସାକ୍ଷାତ ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ପୂର୍ବ ଅନୁରୋଧକୁ ରକ୍ଷା କରି ଡେଲୋଏଟ ଭୁବନେଶ୍ୱର ଓ କୋଏମ୍ବାଟୁରରେ ଏକ ବୃହତ ଟେକ୍ନୋଲୋଜି ସେଣ୍ଟର ଆରମ୍ଭ କରିବା ପାଇଁ ଯାଉଥିବାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଖୁସିବ୍ୟକ୍ତ କରିବା ସହ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଡେଲୋଏଟର ଏହି ପଦକ୍ଷେପ ଯୁବବର୍ଗଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବା ସହ ପ୍ରଯୁକ୍ତିବିଦ୍ୟା ଓ ଦକ୍ଷତା ବିକାଶର ଇକୋସିଷ୍ଟମକୁ ସୁଦୃଢ଼ କରିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି । ସେହିପରି ଗ୍ରାମାଞ୍ଚଳରେ ଥିବା ଯୁବପିଢିଙ୍କ ପାଇଁ ସୁଯୋଗ ତିଆରି କରିବା ଏବଂ ଡିଜିଟାଲ ଅର୍ଥନୀତିରେ ଦେଶ ଦ୍ରୁତ ଗତିରେ ଅଗ୍ରସର ହେବା ଦିଗରେ ମଧ୍ୟ ଚର୍ଚ୍ଚା ହୋଇଥିଲା । ଭାରତ ପ୍ରତି ପୁନିତି ରେନଜେନଙ୍କ ପ୍ରତିବଦ୍ଧତା ଏବଂ ଭାରତରେ ଥିବା ସମ୍ଭାବନା ତଥା ପ୍ରତିଭାଙ୍କୁ ଅନ୍ୱେଷଣ କରିବାରେ ଡେଲୋଏଟର ପଦକ୍ଷେପ ପ୍ରଶଂସନୀୟ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

Related Articles

Back to top button