ଏଣିକି ସହରାଞ୍ଚଳରେ ସାର୍ବଜନୀନ ଶୌଚାଳୟ ବ୍ୟବହାର କଲେ ଟଙ୍କା ଦେବାକୁ ପଡ଼ିବ ନାହଁ

ଭୁବନେଶ୍ୱର: ସହରାଞ୍ଚଳରେ ସାର୍ବଜନୀନ ଶୌଚାଳୟ ବ୍ୟବହାର କଲେ ଏଣିକି ଟଙ୍କାଟିଏ ଦେବାକୁ ପଡ଼ିବ ନାହଁ। ସାରା ରାଜ୍ୟରେ ମାଗଣା ସେବା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସମସ୍ତ ମହାନଗର ନିଗମର କମିଶନର ଓ ପୌରପାଳିକା ଓ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି।

ସର୍ବସାଧାରଣ ଓ ଗୋଷ୍ଠୀ ଶୌଚାଳୟକୁ ଆସୁଥିବା ଲୋକଙ୍କ ଠାରୁ ଯେପରି କୌଣସି ପ୍ରକାର ପାଉଣା ଆଦାୟ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗ ପକ୍ଷରୁ ସେହି ଶୌଚାଳୟ ଗୁଡ଼ିକରେ ମାଗଣା ସେବା କଥା ଲେଖିବାକୁ ନୋଟିସରେ ନିର୍ଦ୍ଦେଶ ଦିଆଯାଇଛି। ଏହି ନୋଟିସକୁ ଓ୍ୱାଲ ପେଣ୍ଟିଂ, ବୋର୍ଡ ଓ ଅନ୍ୟାନ୍ୟ ମାଧ୍ୟମରେ ପ୍ରଦର୍ଶିତ କରାଯାଇପାରିବ।

କେହି ଶୌଚାଳୟ ବ୍ୟବହାର ପାଇଁ ପଇସା ମାଗିଲେ ‘ମୋ ସହର ସରକାର’ ହେଲ୍ପଲାଇନ୍ ନମ୍ବରରେ ଅଭିଯୋଗ କରିବାକୁ ମଧ୍ୟ ସରକାର ଅନୁରୋଧ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସରକାର ଏ ବାବଦରେ ହେବାକୁ ଥିବା ଖର୍ଚ୍ଚ ସହରାଞ୍ଚଳ ପାଣ୍ଠିରୁ ଭରଣ କରିବେ ବୋଲି ସୂଚନା ରହିଛି।

Related Articles

Back to top button