
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ଓଡ଼ିଆ ସିନେ ଜଗତକୁ ଲାଗିଛି ଏକ ଶକ୍ତ ଝଟକା । ଓଲିଉଡ଼ର ଜଣାଶୁଣା ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କର ଅକାଳ ବିୟୋଗ ହୋଇଛି । ମସ୍ତିଷ୍କ ଆଘାତରେ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି । ନାରାୟଣ ପତି ନ୍ୟାସନାଲ ସ୍କୁଲ୍ ଅଫ୍ ଡ୍ରାମାରୁ ଅଭିନୟରେ ଶିକ୍ଷାଲାଭ କରିଥିଲେ । ସେ ଏକାଧାରାରେ ଜଣେ ଦକ୍ଷ ଅଭିନେତା ଏବଂ ନିର୍ଦ୍ଦେଶକ ମଧ୍ୟ । ମଞ୍ଚରୁ ଅଭିନୟ ଆରମ୍ଭ କରିଥିବା ନାରାୟଣ ପତି ଓଲିଉଡ଼ରେ ଏକ ସ୍ୱତନ୍ତ୍ର ଛାପ ଛାଡ଼ିଯାଇଛି । ସେ ମଞ୍ଚ, ଟିଭି ଧାରାବାହିକ ଓ ଅନେକ ଚଳଚ୍ଚିତ୍ରେ ଅଭିନୟ କରିଛନ୍ତି । ସେ ପ୍ରଥମେ ‘ସମର ସଲିମ୍ ସାଇମନ୍’ ସଙ୍ଗୀତରେ ପ୍ରଥମେ ଅଭିନୟ କରିଥିଲେ । ୧୯୯୪ରେ ମୁକ୍ତିଲାଭ କରିଥିବା ‘ଲକ୍ଷେ ଶିବ ପୂଜି ପାଇଛି ପୁଅ’ରେ ବାପା ଭୂମିକାରେ ଅଭିନୟ କରିଥିଲେ । ଏଥିରେ ପ୍ରଯୋଜକ ବସନ୍ତ ନାୟକ ପ୍ରଯୋଜିନା ଦାୟିତ୍ୱ ସମ୍ଭାଳିଥିବାବେଳେ ନିର୍ଦ୍ଦେଶକ ମହମ୍ମଦ ମହସୀନ ନିର୍ଦ୍ଦେଶିନା ଦେଇଥିଲେ । ଏହା ପରେ ଭାଗ୍ୟଚକ୍ର, ବାଟ ଅବାଟ ଓ ଗାରେ ସିନ୍ଦୂର ଧାରେ ଲୁହରେ ଅଭିନୟ କରିଛନ୍ତି ।
ସେହିପରି ଲୋକପ୍ରିୟ ଧାରାବାହିକ ପଥର ପଡ଼ିଲେ ସହି, ଟୋକେଇ ଓ ଭାଗ୍ୟରେ ନିର୍ଦ୍ଦେଶନା ଦେଇଛନ୍ତି । ନିକଟ ଅତୀତରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ବୋଉର ହାତ ବାକ୍ସରେ ନିର୍ଦ୍ଦେଶନା ଦେଇଥିବାବେଳେ ବାପା ଭୂମିକାରେ ନିଖୁଣ ଅଭିନୟ କରିଛନ୍ତି । ଫକୀର ମୋହନ ସେନାପତିଙ୍କ ଡାକମୁନସୀ ଉପରେ ଏକ ଓଡ଼ିଆ ସିନେମା ନିର୍ମାଣ କରିବାକୁ ଯୋଜନା କରିଥିଲେ। ଯାହାର କଳାକାର ଚୟନ ପ୍ରକ୍ରିୟା ଜାରି ରହିଛି ।