ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ, ୫ କୋଟି ଟଙ୍କା କ୍ରିପ୍ଟୋ କରେନ୍ସିରେ ଲଗାଇଥିଲେ

ଭୁବନେଶ୍ୱର: ଗିରଫ ହେଲେ RWSS ର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ରଞ୍ଜନ ଦାସ । ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ନିହାରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଯନ୍ତ୍ରୀଙ୍କର ଏବେବି ଚାଲିଛି କ୍ରିପ୍ଟୋ କରେନ୍ସିରେ ଲାଗିଥିବା ଅର୍ଥର ଯାଞ୍ଚ । ବିଦେଶରେ ୫ କୋଟି ଟଙ୍କା କ୍ରିପ୍ଟୋ କରେନ୍ସିରେ ଲଗାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ଏନେଇ ଭିଜିଲାନ୍ସ ନିର୍ଦ୍ଦେଶକ ଜଶବନ୍ଦ ଜେଠୱାଙ୍କ ସୂଚନା ଦେଇଛନ୍ତି ।

ସୂଚନା ଥାଉକି, ବାରମ୍ୱାର ଅଭିଯୋଗ ପରେ ଭୁବନେଶ୍ବର R.W.S.S. ସର୍କଲରେ କାର୍ଯ୍ୟରତ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ତାଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ଏସ.ପି.ଙ୍କ କାର୍ଯ୍ୟାଳୟକୁ ଅଣାଯାଇ ଅଟକ ରଖାଯାଇଥିଲା । ତାଙ୍କର ଭୁବନେଶ୍ୱର ଅଫିସ୍ ସମେତ ଖୋର୍ଦ୍ଧା, ସମ୍ବଲପୁର, ବରଗ଼ଡ଼ର ୬ଟି ସ୍ଥାନରେ ଏକକାଳୀନ ରେଡ୍ କରାଯାଇଥିଲା । ଖାରବେଳନଗର ସ୍ଥିତ ୩ ବି.ଏଚ୍.କେ. ଫ୍ଲାଟ୍ , ସମ୍ବଲପୁରର ୨ ମହଲା ଘର , ସମ୍ବଲପୁରରେ ୮ ଟି ପ୍ଲଟ୍ , ୧ କୋଟିରୁ ଅଧିକ ମୂଲ୍ୟର ଏକ ଜାଗାକୁ ସିଜ୍ କରାଯାଇଛି । ୨ଟି ନାମୀ ଦାମି ୪ ଚକିଆ ଯାନ , ୨ଟି ବାଇକ୍ , ବ୍ୟାଙ୍କ୍ ଡିପୋଜିଟ ଆକାଉଣ୍ଟ, ଏହାସହିତ କ୍ରିପ୍ଟୋ କରେନ୍ସି କାଗଜପତ୍ର ଜବତ କରାଯାଇଥିଲା ।

ଭୁବନେଶ୍ବରସ୍ଥିତ ଅଫିସ୍, ଭୁବନେଶ୍ବର ଖାରବେଳନଗର ସ୍ଥିତ ଫ୍ଲାଟ୍, ସମ୍ବଲପୁର ମୋଦିପଡ଼ାରେ ଥିବା ପୈତୃକ ଘର, ବରଗଡ଼ ସ୍ଥିତ ଘର, ଭୁବନେଶ୍ବର ଖାରବେଳନଗର ସ୍ଥିତ ସମ୍ପର୍କୀୟଙ୍କ ଘର, ଖୋର୍ଦ୍ଧା ଗାନ୍ଧିନଗର ସ୍ଥିତ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରିଥିଲା ଭୁବନେଶ୍ବର ଭିଜିଲାନ୍ସ ଟିମ୍ । ସ୍ପେଶାଲ ଜଜଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉରେ ୫ ଜଣ ଡି.ଏସ୍.ପି., ୧୨ ଜଣ ଇନସ୍ପେକ୍ଟର, ଜଣେ ସବ୍-ଇନସ୍ପେକ୍ଟର, ୧୧ ଜଣ ଏ.ଏସ୍.ଆଇ. ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ ।

Related Articles

Back to top button