୨୪ ତାରିଖ ବେଳକୁ ରାଜ୍ୟରେ ବାତ୍ୟା ସମ୍ଭାବନା !

ଭୁବନେଶ୍ୱର:  ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁୟାୟୀ  ୨୪ ରୁ ୨୬ ତାରିଖ ମଧ୍ୟରେ ରାଜ୍ୟରେ ବାତ୍ୟା ହୋଇପାରେ । ତେବେ ୨୨ ତାରିଖ ସୁଦ୍ଧା ବାତ୍ୟା ନେଇ ସ୍ପଷ୍ଟ ଚିତ୍ର ଆସିବ ।

ପ୍ରତିବର୍ଷ ଅକ୍ଟୋବର ମାସ ଆସିଲେ ଲୋକଙ୍କ ଭିତରେ ଛନକା ପଶେ । ଗତ ୭ ଦିନ ଧରି ବାତ୍ୟା ଚର୍ଚ୍ଚା ଚାଲିଥିବା ବେଳେ ପୂର୍ବରୁ ଆକଳନ କରିପାରିନଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କିନ୍ତୁ ଆଭାସ ଦେଇଛି । ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ସମୁଦ୍ର ପତ୍ତନଠାରୁ ୩.୧ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି । ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ୨୦ ତାରିଖରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ୨୧ ତାରିଖ ବେଳକୁ ବାତ୍ୟା ଫନିର ଗତିପଥକୁ ଫଲୋ କରିପାରେ ଲଘୁଚାପ । ୨୪ ରୁ ୨୬ ତାରିଖ ମଧ୍ୟରେ ଓଡ଼ିଶାରେ ବାତ୍ୟା ସମ୍ଭାବନା ରହିଛି । ଲଘୁଚାପ  ଧିରେ ଧିରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ ଗତି କରି କେନ୍ଦ୍ରୀୟ ଓ ତତ୍ ସଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଆଡକୁ ମୁହାଁଇବ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ସହ ପବନର ବେଗ ମଧ୍ୟ ଅଧିକ ରହିବ ।

ବିଭିନ୍ନ ମଡେଲ୍ ଭିନ୍ନ ଭିନ୍ନ ତଥ୍ୟ ଦେଉଛନ୍ତି । ୱିଣ୍ଡିର ଆକଳନ ଅନୁଯାୟୀ ୨୪ ତାରିଖ ବେଳକୁ ରାଜ୍ୟରେ ବାତ୍ୟା ସମ୍ଭାବନା ରହିଛି । ସେହିପରି ଆମେରିକାନ ମଡେଲ୍ ଜିଏଫଏସ ଏବଂ ୟୁରୋପିଆନ୍ ମଡେଲ୍ ବି ବାତ୍ୟା ହେବା ନେଇ ଆକଳନ କରିଛି । ତେବେ ବାତ୍ୟା ପ୍ରଭାବ ଆନ୍ଧ୍ର-ଓଡ଼ିଶା ନଚେତ୍ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ପଡିବ । ଦଶହରା ଭଳି ଦୀପାବଳି ବି ବତୁରିବ । ତେବେ ୨୨ ତାରିଖ ସୁଦ୍ଧା ବାତ୍ୟାର ଗତିପଥ ଓ ତୀବ୍ରତା ନେଇ ସ୍ପଷ୍ଟ ଚିତ୍ର ଆସିବ ।

Related Articles

Back to top button