ଶିମିଳିପାଳ ଅଭୟାରଣ୍ୟ ନିଆଁ ବଢ଼ିବାରେ ଲାଗିଛି

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ବଢ଼ିବାରେ ଲାଗିଛି। ଗୁରୁବାର ଅଭୟାରଣ୍ୟର ଉତ୍ତର ଓ ଦକ୍ଷିଣ ଡିଭିଜନର ୬୦ଟି ପଏଣ୍ଟରେ ନିଆଁ ଜଳୁଥିବା ନେଇ ସାଟେଲାଇଟ ଚିତ୍ରରୁ ଜଣାପଡ଼ିଛି। ବୁଧବାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନରେ ଥିବା ଯଶିପୁର ଅଞ୍ଚଳରେ ୨ମିମି. ବର୍ଷା ରେକର୍ଡ କରାଯାଇଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି। ଏହି ବର୍ଷା ନିଆଁକୁ ରୋକିବାରେ ସହାୟକ ହୋଇପାରୁ ନ ଥିବା ବେଳେ ଦିନକୁ ଦିନ ବନାଗ୍ନି ବୃଦ୍ଧି ପାଇବା ଚିନ୍ତାର କାରଣ ପାଲଟିଛି। ତେବେ ଅପରାହ୍ନ ସୁଦ୍ଧା ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରାଯାଇଥିବା ନେଇ ଦୁଇ ଉପ ନିର୍ଦ୍ଦେଶକ ସମାଟ ଗୌଡ଼ା ଓ ସାଇ କିରଣ ପ୍ରକାଶ କରିଛନ୍ତି।
ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉତ୍ତର ଡିଭିଜନର ୩୦ ଓ ଦକ୍ଷିଣ ଡିଭିଜନର ୩୦ଟି ସ୍ଥାନରେ ନିଆଁ ଲାଗିଛି। ନିଆଁକୁ ଆୟତ୍ତ କରିବା ପାଇଁ ବନ କର୍ମଚାରୀମାନେ ପ୍ରାଣମୁର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ଫାୟାର ଲାଇନ ମାଧ୍ୟମରେ ନିଆଁ ଜଳୁଥିବା ସ୍ଥାନକୁ ଘେରାଉ କରି ଆୟତ୍ତ କରାଯାଉଛି। ପ୍ରତିଦିନ ବ୍ଲୋୟାର ମେଶିନ ମାଧ୍ୟମରେ ଫାୟାର ଲାଇନ ସୃଷ୍ଟି କରାଯାଉଥିବା ବେଳେ ବଫର ଅଞ୍ଚଳରେ ବସବାସ କରୁଥିବା ବନବାସୀ ଓ ଆଦିବାସୀମାନଙ୍କୁ ସଚେତନ କରାଯାଉଛି। ଅଦ୍ୟାବଧି ୯୦ପ୍ରତିଶତ ନିଆଁକୁ ରୋକିବାରେ ବନବିଭାଗ ସଫଳ ହୋଇଛି। ଆଗାମୀ ଦିନରେ ପାଟ୍ରୋଲିଂ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇ ବନାଗ୍ନିକୁ ପ୍ରଶମିତ କରାଯିବ। ୨୦୨୧ରେ ହୋଇଥିବା ଶିମିଳିପାଳ ଅଭୟାରଣ୍ୟ ବନାଗ୍ନିର ଭୟାବହତା ଚଳିତ ବର୍ଷ ଦୋହରାଇବାକୁ ଦିଆଯିବ ନାହିଁ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି ତେବେ ପ୍ରତିବର୍ଷ ଶିମିଳିପାଳରେ ନିଆଁ ଲାଗୁଥିବାରୁ ଅଭୟାରଣ୍ୟରେ ଜୀବଜନ୍ତୁଙ୍କ ସଂଖ୍ୟା କମିବାରେ ଲାଗିଛି। ଶିକାର ଓ ମହୁଲ ସଂଗ୍ରହ କରିବା ଉଦ୍ଦେଶ୍ୟରେ ଲଗାଯାଉଥିବା ନିଆଁକୁ ପ୍ରତିହତ କରିବା ପାଇଁ ବନବିଭାଗ ବିଭିନ୍ନ ଯୋଜନା ହାତକୁ ନେଇଛି। ମନ୍ଦ ଉଦ୍ଦେଶ୍ୟ ରଖି ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗୀୟ ଅଧିକାରୀମାନେ ପ୍ରକାଶ କରିଛନ୍ତି। ତେବେ ବନାଗ୍ନି ଯୋଗୁ ତୃଣଭୋଜି ପ୍ରାଣୀଙ୍କ ଖାଦ୍ୟ ସଙ୍କଟ ବଢ଼ିବା ନେଇ ଆଶଙ୍କା କରାଯାଉଥିବା ବେଳେ ଏଥିପ୍ରତି ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ବନ୍ୟପ୍ରାଣୀ ପ୍ରେମୀମାନେ ଦାବି କରିଛନ୍ତି।

Related Articles

Back to top button