ନବୀନ ନିବାସ ସମ୍ମୁଖ ଗଛରେ ଚଢ଼ିଗଲେ ମହିଳା

ଭୁବନେଶ୍ୱର: ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବାସ ନିକଟରେ ଥିବା ଏକ ଗଛରେ ଜଣେ ମହିଳା ଚଢ଼ିଯାଇଥିଲେ। ସେଠାରେ ଉପସ୍ଥିତ ଥିବା କମିଶନରେଟ ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ବହୁ କଷ୍ଟରେ ଗଛରୁ ଉଦ୍ଧାର କରିଛନ୍ତି। ଗଛରୁ ଓହ୍ଲାଇବା ପରେ ଭଦ୍ରକ ଓ ଭୁବନେଶ୍ୱର କମିଶନରେଟ ପୋଲିସକୁ ଗାଳିଗୁଲଜ କରିବା ସହ ଏ ଜୀବନ କାହିଁକି ରଖିବି ବୋଲି ମହିଳା ଜଣକ କହୁଥାନ୍ତି।

ଖବର ନେବାରୁ ଜଣାପଡ଼ିଛି, ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳର ଏହି ମହିଳା ଜଣକ ଯେତେବେଳେ ନବମ ଶ୍ରେଣୀରେ ପଢୁଥିଲେ ସେତେବେଳେ ତାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିଲା। ତାଙ୍କ ଭାଇ ତାଙ୍କୁ ଉଦ୍ଧାର କରିଥିଲେ। ଏପରିକି ତାଙ୍କ ଭାଇଙ୍କୁ ହତ୍ୟା ମଧ୍ୟ କରାଯାଇଥିଲା। ଏହାର ସାକ୍ଷୀଥିଲେ ଛାତ୍ରୀ ଅବସ୍ଥାରେ ଥିବା ଏହି ମହିଳା ଜଣକ। ଏହା ପରେ ସେ ନ୍ୟାୟ ପାଇଁ ଥାନାକୁ ବାରମ୍ବାର ଯାଇଥିଲେ। ତଥାପି ତାଙ୍କୁ ନ୍ୟାୟ ମିଳି ନ ଥିଲା। ପରେ ତାଙ୍କର ବିବାହ ହୋଇଯାଇଥିଲା। କିନ୍ତୁ ସେ ଭାଇ ହତ୍ୟାର ପ୍ରତିଶୋଧ ନେବାକୁ ଚାହୁଁଥିଲେ। ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ତାଙ୍କୁ ଏକ ମିଛ ମାମଲାରେ ଜେଲ୍‌ ପଠାଇ ଦେଇଥିଲେ କିଛି ଲୋକ। ସେ ଦୋଷମୁକ୍ତ ହୋଇ କୋର୍ଟରୁ ଫେରିଥିଲେ। ମାତ୍ର ଶାଶୁଘର ଲୋକେ ଆଉ ଗ୍ରହଣ କରି ନ ଥିଲେ। ସ୍ବାମୀଙ୍କଠାରୁ ଭରଣପୋଷଣ ଦାବି କରି ଏଥିରେ ବି ବିଫଳ ହୋଇଥିଲେ। ଚାରିଆଡୁ ନିରାଶ ହୋଇ ସେ ନବୀନ ନିବାସଠାରେ ଥିବା ଏକ ଗଛରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ।

Related Articles

Back to top button