
ଆଗ୍ନିକ ଭାବେ ଏଣିକି ମହିଳାଙ୍କୁ ନିଯୁକ୍ତି ମିଳିବ।
ରାଜ୍ୟ ଅଗ୍ନିଶମ ବିଭାଗରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ବର୍ଷ ପୁରୁଣା ପରମ୍ପରାକୁ ଭଙ୍ଗ କରିବାକୁ ଯୋଜନା କରିଛି ବିଜେପି ସରକାର। ମହାଳାଙ୍କୁ ସଶକ୍ତ କରିବା ତଥା ସାହସୀ ମହିଳାଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଏହା ଏକ ଯୁଗାନ୍ତକାରୀପଦକ୍ଷେପ ହେବ ବୋଲି ଆଶା କରାଯାଇଛି। ଏହିକ୍ରମରେ ଆଗ୍ନିକ ଭାବେ ଏଣିକି ମହିଳାଙ୍କୁ ନିଯୁକ୍ତି ମିଳିବ। ଏଥିଲାଗି ଏହି ପଦବୀର ନାଁ ‘ଫାୟାର ମେନ୍’ ବଦଳରେ ‘ଫାୟାର ଫାଇଟର’ ରଖିବାକୁ ଉପମୁଖ୍ୟମନ୍ତ୍ରୀ ସୂଚନର ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଘୋଷଣା କରିବେ ବୋଲି ସେ କହିଛନ୍ତି। ଆଜି ଓୟୁଏଟିର କୃଷି ଶିକ୍ଷା ସଦନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଭାତୀ ଏହି ସୂଚନା ଦେଇଛନ୍ତି। ଏହି ଉତ୍ସବରେ ରାଜ୍ୟ ସରକାର ନବ ନିଯୁକ୍ତ ୯୪୧ ଜଣ ଅଗ୍ନିଯୋଦ୍ଧାଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଉଥିଲା। ଏହି ଅବସରରେ ବକ୍ତବ୍ୟ ରଖିବା ବେଳେ ପ୍ରଭାତୀ ଲିଙ୍ଗଗତ ସାମ୍ୟ ପ୍ରତିଷ୍ଠା ତଥା ନିଯୁକ୍ତି କ୍ଷେତ୍ରରେ ମହିଳାଙ୍କ ଲାଗି ସୁଯୋଗ ସୃଷ୍ଟି ଲାଗି ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦେଇଥିଲେ। ପ୍ରଭାତୀଙ୍କ ଇଙ୍ଗିତରୁ ଏହା ସ୍ପଷ୍ଟ ଯେ, ଖୁବ୍ ଶୀଘ୍ର ମହିଳାଙ୍କୁ ରାଜ୍ୟ ସରକାର ଅଗ୍ନି ଯୋଦ୍ଧା ଭାବେ ନିଯୁକ୍ତ କରିବାକୁ ଯାଉଛନ୍ତି।