ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁଣି ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ

ଆସନ୍ତା ୨୭ ତାରିଖରେ ପୁରୀର ବିଶ୍ଵପ୍ରସିଦ୍ଧ ରଥଯାତ୍ରା । ଶୃଙ୍ଖଳିତ ଯାତ୍ରା ଏବଂ ସୁପରିଚାଳନା ନେଇ କଟକ ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସକ୍ରିୟ ତଥା ସଜାଗ ରହିବାକୁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ଜୁନ ୧୧ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା, ୨୬ରେ ନବଯୌବନ ଦର୍ଶନ, ୨୭ରେ ରଥଯାତ୍ରା, ଜୁଲାଇ ୧ ତାରିଖରେ ହେରା ପଞ୍ଚମୀ, ୪ରେ ସନ୍ଧ୍ୟା ଦର୍ଶନ, ୫ ରେ ବାହୁଡା, ୬ ରେ ସୁନାବେଶ, ୭ରେ ଅଧରପଣା ଓ ଜୁଲାଇ ୮ ତାରିଖରେ ଅନୁଷ୍ଠିତ ହେବ ନୀଳାଦ୍ରିବିଜେ ନୀତି । ଦେଶ ବିଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବନ୍ଦୋବସ୍ତ ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି । ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି ସ୍ଥାପନ, ଟ୍ରାଫିକ ସୁପରିଚାଳନା ନିମନ୍ତେ ରୋଡ ଡିଭାଇଡର, ଡିଲିନେଟର ଓ ଟ୍ରାଫିକ ଜୋନ ବ୍ୟବସ୍ଥା, ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ସହ ଟ୍ରାଫିକ ପରିଚାଳନା ସମ୍ପର୍କରେ ଆଲୋଚନା କରାଯାଇଛି । ସେହିପରି ସମୁଦ୍ର କୂଳରେ ପୋଲିସ ପକ୍ଷରୁ ପାଟ୍ରୋଲିଂ କଡାକଡି କରାଯିବା ସହ ଅସ୍ଥାୟୀ ପୋଲିସ ଆଉଟପୋଷ୍ଟ ଖୋଲାଯିବ । ଏହାଛଡ଼ା ରେଳବାଇ ପୋଲିସ ପକ୍ଷରୁ ପୁରୀ, ଭୁବନେଶ୍ବର, ଖୋର୍ଦ୍ଧା, ଜଟଣୀ ଆଦି ରେଳ ଷ୍ଟେସନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି ।

ଆରପିଏଫ ସହ ଉପଯୁକ୍ତ ସମନ୍ଵୟ ରଖି କାର୍ଯ୍ୟ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ଡିଜିପି । ଏହାସହ ସହରର ସମସ୍ତ ଥାନା ଅଞ୍ଚଳରେ ଅପରାଧୀଙ୍କ ବିରୋଧରେ ସ୍ଵତନ୍ତ୍ର ଡ୍ରାଇଭ, ହୋଟେଲ ଏବଂ ଲଜ ଗୁଡିକରେ ନିୟମିତ ଯାଞ୍ଚ, ରକ୍ଷକ ଯାନ ମୁତୟନ, K-9 ସ୍କ୍ବାଡ ମୁତୟନ, ଦଳାଚକଟା ଭଳି ପରିସ୍ଥିତିକୁ ଏଡାଇବାକୁ ସ୍ୱତନ୍ତ୍ର ବ୍ୟବସ୍ଥା, ସ୍ୱତନ୍ତ୍ର ହେଲିପ୍ୟାଡ, ପୋଲିସ ଫୋର୍ସଙ୍କ ରହଣି ନିମନ୍ତେ ସ୍ୱତନ୍ତ୍ର ସୁବିଧା, ଶୃଙ୍ଖଳିତ ରଥଟଣା, ବ୍ୟାରିକେଡ ବ୍ୟବସ୍ଥା କରାଯିବ । ଜିଲ୍ଲା ପ୍ରଶାସନ ସହ ମିଶି ବିଭିନ୍ନ ଅସୁବିଧାର ସମାଧାନ କରାଯିବା ସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ସୁବିଧା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି ଡିଜିପି । ଏହାସହ ବୈଠକରେ ଆପାତକାଳୀନ ପରିସ୍ଥିତିର ମୁକାବିଲା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି । ବୈଠକରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସେପଟେ ରାଜ୍ୟରେ କୋଭିଡ ରୋଗୀଙ୍କ ସଂଖ୍ୟା ବଢିଥିବା ବେଳେ ରଥଯାତ୍ରା ପାଇଁ ବଢ଼ିଲା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା। ରଥଯାତ୍ରା ପାଇଁ ଆସନ୍ତାକାଲି କିମ୍ବା ଦୁଇଦିନ ମଧ୍ୟରେ ହେବ ସମୀକ୍ଷା। ସମୀକ୍ଷା ପରେ ନିଆଯାଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ନିଷ୍ପତ୍ତିକୁ ରାଜ୍ୟ ଅଥରିଟିଙ୍କ ପାଖରେ ଉପସ୍ଥାପନ କରାଯିବ। ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ଆହ୍ୱାନ ଦେଲା ସ୍ୱାସ୍ଥ୍ୟ ବିଭାଗ। ଷ୍ଟାଣ୍ଡର୍ଡ ପ୍ରୋଟୋକୋଲ ମାନିବାକୁ ପରାମର୍ଶ ଜାରି ହୋଇଛି। ଲୋକଙ୍କୁ ଗହଳିକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ହାତ ଧୋଇବା, ଗ୍ଲୋବସ ପିନ୍ଧିବା ଓ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ।

Related Articles

Back to top button