
ଯୁବ ଲେଖକ ସୁବ୍ରତ ସେନାପତି ଓ ଶିଶୁ ସାହିତ୍ୟିକ ରାଜକିଶୋର ପାଢ଼ୀ ପାଇବେ ଚଳିତ ବର୍ଷର ଯୁବ ସାହିତ୍ୟ ଓ ବାଲ୍ ପୁରସ୍କାର।
କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ଓ ଶିଶୁ ସାହିତ୍ୟ ପୁରସ୍କାର ଘୋଷିତ। ଯୁବ ଲେଖକ ସୁବ୍ରତ ସେନାପତି ଓ ଶିଶୁ ସାହିତ୍ୟିକ ରାଜକିଶୋର ପାଢ଼ୀ ପାଇବେ ଚଳିତ ବର୍ଷର ଯୁବ ସାହିତ୍ୟ ଓ ବାଲ୍ ପୁରସ୍କାର। ଓଡ଼ିଆ ଭାଷା ପାଇଁ ଯୁବ ଲେଖକ ସୁବ୍ରତ ସେନାପତି ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ପୁରସ୍କାର। ‘କଦମ୍ବ ବନ’ ପୁସ୍ତକ ପାଇଁ ପୁରସ୍କୃତ ହେବେ ସୁବ୍ରତ ସେନାପତି। ଓଡ଼ିଆ ବିଭାଗର ଏହି ଯୁବ ପୁରସ୍କାର ପାଇଁ ବିଚାରକ ମଣ୍ଡଳୀରେ ରହିଥିଲେ ଯଶୋଧାରା ମିଶ୍ର, ରବି ସ୍ୱାଇଁ ଓ ସୁବାଷ ଚନ୍ଦ୍ର ଶତପଥୀ। ଏହି ପୁରସ୍କାର ସ୍ୱରୂପ ୫୦୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ।କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବୁଧବାର ଅର୍ଥାତ୍ ଜୁନ୍ ୧୮ ରେ ୨୦୨୫ ମସିହା ପାଇଁ ଯୁବ ସାହିତ୍ୟ ପୁରସ୍କାର ଏବଂ ଶିଶୁ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ସମୁଦାୟ ୨୩ଟି ଭାରତୀୟ ଭାଷା ପାଇଁ ଚଳିତବର୍ଷ ଯୁବ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ଡୋଗ୍ରି ଭାଷା ପାଇଁ ଯୁବ ପୁରସ୍କାର ଘୋଷଣା କରାଯାଇନାହିଁ।
ସେହିପରି ୨୩ଟି ଭାରତୀୟ ଭାଷା ପାଇଁ ଏ ବର୍ଷର ଶିଶୁ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ବିଶିଷ୍ଟ ଶିଶୁ ସାହିତ୍ୟିକ ରାଜକିଶୋର ପାଢ଼ୀଙ୍କୁ ତାଙ୍କର ପୁସ୍ତକ ‘କେତେ ଫୁଲ ଫୁଟିଛି’ ପାଇଁ ଏହି ବାଲ୍ ସାହିତ୍ୟପୁରସ୍କାର ପ୍ରଦାନ କରାଯିବ। ଏହି ପୁରସ୍କାରର ବିଚାରକ ମଣ୍ଡଳୀରେ ନିଳାଦ୍ରୀ ଭୂଷଣ ହରିଚନ୍ଦନ, ଶକୁନ୍ତଳା ବଳିଆର ସିଂହ ଓ ରାମଚନ୍ଦ୍ର ନାୟକ ରହିଥିଲେ। ଏହି ପୁରସ୍କାର ସ୍ୱରୂପ ତାଙ୍କୁ ୫୦୦୦୦ ଟଙ୍କା ପ୍ରଦାନ କରାଯିବ।