୨୦୨୩ରେ ଚାକିରୀ ବଦଳାଇବେ ଦୁଇ ତୃତୀୟାଂଶ ଭାରତୀୟ ଆଇଟି କର୍ମଚାରୀ

ନୂଆଦିଲ୍ଲୀ: ଦେଶର ଦୁଇ ତୃତୀୟାଂଶ ଆଇଟି କର୍ମଚାରୀ (ନଲେଜ ୱାର୍କର) ୨୦୨୩ରେ ସେମାନଙ୍କର ଚାକିରୀ ପରିବର୍ତ୍ତନ କରିବା ସମ୍ଭାବନା ରହିଛି। କାର୍ଯ୍ୟସ୍ଥଳକୁ ନେଇ ଅସନ୍ତୋଷ ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ସମ୍ପର୍କ ଖରାପ ହେବା ଆଦି କାରଣରୁ ସେମାନେ ଚାକିରୀ ବଦଳାଇବାକୁ ବିଚାର କରୁଥିବା ଏକ ସର୍ବେକ୍ଷଣ ରିପୋର୍ଟରୁ ଜଣାଯାଇଛି। ବୁଧବାର ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ଯେ ଅନ୍ୟୂନ ୫୪ ପ୍ରତିଶତ ଭାରତୀୟ ଆଇଟି କର୍ମଚାରୀ ଗତ ବର୍ଷକ ମଧ୍ୟରେ ନିଜ କାର୍ଯ୍ୟସ୍ଥଳକୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ସଫ୍ଟୱେର ସଂସ୍ଥା ସ୍ଲାକ୍‌‌ ଟେକ୍‌‌ନୋଲୋଜି ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ଦର୍ଶାଯାଇଛି ଯେ ୧୯୯ ଜଣ ପର୍ଯ୍ୟନ୍ତ କର୍ମଚାରୀ ଥିବା ସଂସ୍ଥାଗୁଡିକରେ ପରିସ୍ଥିତି ଅଧିକ ଖରାପ। ଏହିଭଳି ସଂସ୍ଥାଗୁଡିକରେ ୫୯ ପ୍ରତିଶତ ନଲେଜ ୱାର୍କର ବ୍ୟଗ୍ର ଥିବାବେଳେ ୧୫୦୦ରୁ ଅଧିକ କର୍ମଚାରୀ କାମ କରୁଥିବା ସଂସ୍ଥାଗୁଡଇକରେ ୪୮ ପ୍ରତିଶତ କର୍ମଚାରୀ ଏହିଭଳି ବ୍ୟଗ୍ର ଓ ବ୍ୟାକୁଳ ସ୍ଥିତିରେ ଅଛନ୍ତି।

ସ୍ଲାକ୍‌‌ ପକ୍ଷରୁ ୧୦୦ରୁ ଅଧିକ କର୍ମଚାରୀ କାମ କରୁଥିବା ବିଭିନ୍ନ ଆଇଟି ଓ ଆଇଟିଇଏସ୍‌‌ କମ୍ପାନୀରେ ୨ହଜାର ନଲେଜ ୱାର୍କରଙ୍କୁ ନେଇ ଏହି ସର୍ବେକ୍ଷଣ କରାଯାଇଥିଲା। ଡେସ୍କରେ ବସି କାମ କରୁଥିବା କର୍ମଚାରୀମାନେ ସେମାନଙ୍କ ନେତୃବୃନ୍ଦଙ୍କ ଠାରୁ ଅଧିକ ଉନ୍ନତ ସମ୍ପର୍କ ଆଶା କରୁଥିବାବେଳେ ତାହା ନପାଇଲେ ସେମାନେ ବିକଳ୍ପ ନିଯୁକ୍ତି ସନ୍ଧାନ କରିବା ଆଶା ରହିଥିବା ଜାଣିବାକୁ ମିଳିଛି। ପ୍ରାୟ ୭୧ ପ୍ରତିଶତ ଯୁବ କର୍ମଚାରୀ ସେମାନଙ୍କ ଚାକିରୀ ବଦଳାଇବେ ବୋଲି ମତ ଦେଇଥିଲେ। ଭାରତୀୟ ଆଇଟି ଏବଂ ଆଇଟିଇଏସ୍‌‌ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୮୪ ପ୍ରତିଶତ କହିଛନ୍ତି ଯେ ସେମାନଙ୍କର ନେତୃବୃନ୍ଦ ସେମାନଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରୁନାହାନ୍ତି ଏବଂ ସେମାନେ ଚାକିରୀ ବଦଳାଇବାକୁ ବିଚାର କରୁଛନ୍ତି। ପ୍ରାୟ ୫ ପ୍ରତିଶତ ମତ ଦେଇଛନ୍ତି ଯେ ସେମାନେ ସେମାନଙ୍କ ଚାକିରୀ ସର୍ତ୍ତାବଳୀ ପୂରଣ କରି ଚୁପ୍‌‌ଚାପ ଛାଡିଦେବେ, କିନ୍ତୁ ସେହି ସ୍ତରରୁ ଊର୍ଦ୍ଧ୍ବକୁ ଅଥବା ତାହା ତଳକୁ ଯିବେନାହିଁ।

Related Articles

Back to top button