
୩ ବର୍ଷ ପରେ ଦିନିକିଆରେ ୪୪ ତମ ଶତକ ହାସଲ କଲେ ବିରାଟ କୋହଲି
ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ତିନି ବର୍ଷର ଲମ୍ବା ବ୍ୟବଧାନ ପରେ ଦିନିକିଆ ମ୍ୟାଚ୍ରେ ଶତକ ହାସଲ କରିଛନ୍ତି। ବାଂଲାଦେଶ ବିପକ୍ଷ ଶେଷ ଦିନିକିଆ ମ୍ୟାଚ୍ରେ ଧମାକାଦାର ଶତକ ସହିତ ବିରାଟ କୋହଲି ଅନେକ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ବିରାଟଙ୍କ ପୁର୍ବରୁ ଇଶାନ୍ କିଶାନ ଏହି ମୁକାବିଲାରେ ବାଂଲାଦେଶ ବୋଲରଙ୍କ ଧୁଲେଇ କରି ଦ୍ୱିଶତ ହାସଲ କରି ରେକର୍ଡ ସୃଷ୍ଟି କରିଛନ୍ତି। ଯେଉଁ କାରଣରୁ ବାଂଲାଦେଶ ବୋଲରଙ୍କ ଲକ୍ଷ୍ୟ ଇଶାନଙ୍କ ପ୍ରତି ରହିଥିଲା ଏବଂ ବିରାଟ ଅନ୍ୟପଟେ ଜମି ରହି ନିଜର ତମ ଶତକ ହାସଲ କରିଥିଲେ।
ବିରାଟ କୋହଲି ମାତ୍ର ୮୫ ବଲ୍ରେ ନିଜର ଶତକ ପୁରଣ କରିଥିଲେ। ଏହା ଦିନିକିଆରେ ବିରାଟଙ୍କର ୪୪ ତମ ଶତକ ଥିଲା। ୨୦୧୯ ଅଗଷ୍ଟରେ ସେ ତାଙ୍କର ଶେଷ ଦିନିକିଆ ଶତକ ହାସଲ କରିଥିଲେ। ତେବେ ଏହି ମ୍ୟାଚ୍ରେ ବିରାଟ କୋହଲି ଶତକ ପୁରଣ କରି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍କ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି।
ଏବେ ଆନ୍ତର୍ଜାତୀୟ କ୍ରିକେଟ୍ରେ ସର୍ବାଧିକ ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ୍ଙ୍କ ତାଲିକାରେ ସଚିନ ତେନ୍ଦୁଲକରଙ୍କ ପରେ ବିରାଟ କୋହଲି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଆଜିର ମ୍ୟାଚ୍ରେ ଶତକ ସହିତ ବିରାଟ କୋହଲି ଆନ୍ତର୍ଜାତୀୟ କ୍ରିକେଟ୍ରେ ୭୨ ତମ ଶତକ ହାସଲ କରିଥିଲେ । ତେବେ ରିକି ପଣ୍ଟିଙ୍କ ନାମରେ ୭୧ ଶତକ ରହିଛି ।
ଆଜିର ମ୍ୟାଚ୍ରେ ବିରାଟ କୋହଲି ୯୧ ବଲ୍ ଖେଳି ୧୧ ଚୌକା ଓ ୨ଟି ଛକ୍କା ମାରି ୧୧୩ ରନ୍ ସଂଗ୍ରହ କରିଥିଲେ । ଏହି ମ୍ୟାଚ୍ରେ ଇଶାନ୍ କିଶାନ ମଧ୍ୟ ନିଜର ଦ୍ୱିଶତକ ହାସକ କରିଥିଲେ । ଦୁହେଁ ମିଶି ଦ୍ୱିତୀୟ ଉଇକେଟ୍ ପାଇଁ ୧୯୦ ବଲ୍ରେ ୨୯୦ ରନ୍ର ପାର୍ଟନରସିପ କରିଥିଲେ । ଏହି ଶତକ ସହିତ ବିରାଟ କୋହଲି ବାଂଲାଦେଶ ବିପକ୍ଷରେ ୪ର୍ଥ ଶତକ ହାସଲ କରିଛନ୍ତି । ତେବେ ଏହି ସବୁ ଶତକ ବାଂଲାଦେଶ ମାଟିରେ ଆସିଛି ।