ପ୍ରଥମ ଟେଷ୍ଟରେ ବାଂଲାଦେଶକୁ ୧୮୮ ରନ୍‌ରେ ହରାଇଲା ଭାରତ

ନୁଆଦିଲ୍ଲୀ: ଚିଟଗ୍ରାମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦଳ ବାଂଲାଦେଶକୁ ପରାସ୍ତ କରିଛି । ଟିମ୍ ଇଣ୍ଡିଆର ବୋଲରମାନେ ଘରୋଇ ଦଳର ଦ୍ୱିତୀୟ ଇନିଂସକୁ ୩୨୪ ରନରେ ସୀମିତ ରଖିଥିଲେ । ଟେଷ୍ଟର ପଞ୍ଚମ ତଥା ଅନ୍ତିମ ଦିନରେ ବିଜୟ ପାଇଁ ବାଂଲାଦେଶ ୨୪୧ ରନ୍ ଆବଶ୍ୟକ କରୁଥିବାବେଳେ ଜିତିବା ପାଇଁ ଭାରତକୁ ୪ ୱିକେଟ୍ ଦରକାର ଥିଲା । ବାଂଲାଦେଶ ଅଧିନାୟକ ଶକିବ ଅଲ ହାସନ ଗୋଟିଏ ପଟେ କ୍ରିଜରେ ଜମି ରହି ଦଳର ଆଶାକୁ ବଞ୍ଚାଇ ରଖିଥିଲେ କିନ୍ତୁ ଅନ୍ୟପଟେ କୌଣସି ବ୍ୟାଟ୍ସମ୍ୟାନ ତାଙ୍କୁ ସମର୍ଥନ କରିପାରିନଥିଲେ ।

ଯେତେବେଳେ ଖେଳ ପଞ୍ଚମ ଦିନରେ ଆରମ୍ଭ ହୋଇଥିଲା, ମହମ୍ମଦ ସିରାଜ ମେହେଦି ହାସନ ମିରାଜଙ୍କୁ (୧୩) ଆଉଟ କରି ବାଂଲାଦେଶକୁ ସପ୍ତମ ଝଟକା ଦେଇଥିଲେ । ଏହା ପରେ କୁଲଦୀପ ଯାଦବ କ୍ୟାପଟେନ ଶକିବଙ୍କୁ ତାଙ୍କ ସ୍ପିନ ଜାଲରେ ବାନ୍ଧି ଛନ୍ଦିଥିଲେ । ଶକିବ ୮୪ ରନ୍ ସଂଗ୍ରହ କରିଥିଲେ । ଅଧିନାୟକଙ୍କ ଆଉଟ ପରେ ବ୍ୟାଟିଂ କରିବାକୁ ଆସିଥିବା ଇବାଦ୍ ହୁସେନ୍ କୁଲଦୀପ ଆଗରେ ଅଧିକ ସମୟ ତିଷ୍ଠି ପାରି ନଥିଲେ । ଚାଇନାମ୍ୟାନ୍ ବୋଲର ତାଙ୍କୁ ଖାତା ନଖୋଲିବା ଆଗରୁ ପ୍ୟାଭିଲିୟନ ପଠାଇଥିଲେ ।

କିଛି ମିନିଟ୍ ପରେ ଅକ୍ଷର ପଟେଲ ତାଜିମୁଲ ଇସଲାମ (୪) ଙ୍କ ୱିକେଟ୍ ହଟାଇ ଟିମ୍ ଇଣ୍ଡିଆକୁ ବିଜୟ ପ୍ରଦାନ କରିଥିଲେ । ଭାରତ ପ୍ରଥମ ଇନିଂସରେ ୪୦୪ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ପୂରା ବାଂଲାଦେଶ ଦଳ ୧୫୦ ରନ୍‌ରେ ଅଲଆଉଟ୍ ହୋଇଥିଲେ । ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆ ୨୫୪ ରନ୍ ଅଗ୍ରଣୀ ହାସଲ କରିଥିଲା ।

ଏହାପରେ ୨୫୮/୨ ରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା । ଏହି ଇନିଂସରେ ଭାରତର ଦୁଇ ବ୍ୟାଟ୍ସମ୍ୟଅନ୍ ଶତକ ହାସଲ କରିଥିଲେ । ଓପନର୍ ଶୁବମାନ ଗିଲ ୧୧୦ ରନ୍ ସଂଗ୍ରହ କରିଥିବାବେଳେ ଚେତେଶ୍ୱର ପୂଜାରା ୧୦୨ ରନର ଅପରାଜିତ ଇନିଂସ ରହିଥିଲେ ।

ମ୍ୟାଚର ଦ୍ୱିତୀୟ ଇନିଂସରେ ଅକ୍ଷାର ପଟେଲ ୪ଟି ୱିକେଟ୍ ନେଇଥିବା ବେଳେ କୁଲଦୀପ ଯାଦବ ୩ ୱିକେଟ୍ ନେଇଥିଲେ । ମହମ୍ମଦ ସିରାଜ, ଉମେଶ ଯାଦବ ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଗୋଟି ଲେଖାଏଁ ୱିକେଟ ମିଳିଛି । ପୂରା ମ୍ୟାଚ୍‌ରେ କୁଲଦୀପ ୮ ଟି ୱିକେଟ୍ ନେଇଥିବା ବେଳେ ଅକ୍ଷର ୫ ଟି ୱିକେଟ୍ ନେଇଥିଲେ ।

Related Articles

Back to top button