ଭାରତକୁ ୧ ଓ୍ଵିକେଟ୍‌ରେ ହରାଇଲା ବାଂଲାଦେଶ

ଢାକା: ବାଂଲାଦେଶ ୧୩୬ ରନରେ ୯ ଓ୍ଵିକେଟ୍ ହରାଇ ପରାଜୟର ଦ୍ଵାର ଦେଶରେ ଥିଲା। ଆଉ ଭାରତର ବିଜୟ ସୁନିଶ୍ଚିତ ଲାଗୁଥିଲା। କାରଣ ବାଂଲାଦେଶକୁ ଜିତିବା ପାଇଁ ୫୧ ରନ ଦରକାର ଥିଲା ଏବଂ ହାତରେ ଥିଲା ମାତ୍ର ଏକ ଓ୍ଵିକେଟ୍। ତେବେ ମେହହି ହାସନ ମିର୍ଜାଙ୍କ  ଲଢୁଆ ବ୍ୟାଟିଂ କରି ଭାରତ ମୁହଁରୁ ବିଜୟ ଛଡାଇ ନେଇଛନ୍ତି। ବାଂଲାଦେଶ ରୋମାଞ୍ଚକର ମ୍ୟାଚ୍‌ରେ ଅବିଶ୍ଵସନୀୟ ବିଜୟ ହାସଲ କରିଛି। ଲୋ ସ୍କୋରିଂ ପ୍ରଥମ ଦିନିକିଆରେ ଘରୋଇ ବାଂଲାଦେଶ ଭ୍ରମଣକାରୀ ଭାରତକୁ ୧ ଓ୍ଵିକେଟ୍‌ରେ ହରାଇଛି। ଭାରତୀୟ ଦଳ ଏବଂ ପ୍ରଶଂସକଙ୍କୁ ନିରାଶ ହେବାକୁ ପଡିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ବ୍ୟାଟସମ୍ୟାନଙ୍କ ବିଫଳତା କାରଣରୁ ୪୧.୨ ଓଭରରେ ୧୮୬ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ  ଲୋକେଶ ରାହୁଲ ସର୍ବାଧିକ ୭୩ ରନ କରିଥିଲେ। ଜବାବରେ ବାଂଲାଦେଶ ମେହଦି ହାସନ ମିର୍ଜାଙ୍କ ଅପରାଜିତ ୩୮ ରନ ଏବଂ ମୁସ୍ତାଫିଜୁର ରେହମାନଙ୍କ ଅପରାଜି ୧୦ ରନ ବଳରେ ୪୬ ଓଭରରେ ୯ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ମିର୍ଜା ଏବଂ ରେହମାନ ଅସମାପ୍ତ ୧୦ମ ଓ୍ଵିକେଟରେ ୫୧ ରନ ଯୋଡି ଦଳକୁ ଐତିହାସିକ ବିଜୟ ଦେଇଛନ୍ତି। ପ୍ରଥମ ମ୍ୟାଚ୍ ଜିତି ବାଂଲାଦେଶ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ୧-୦ରେ ଅଗ୍ରଣୀ ହାସଲ କରିଛି।

୧୮୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ବାଂଲାଦେଶ ଖାତା ଖୋଲିବା ପୂର୍ବରୁ ଓ୍ଵିକେଟ୍ ହରାଇଥିଲା। ଟପ୍ ଅର୍ଡରରେ ଅଧିନାୟକ ଲିଟନ୍ ଦାସଙ୍କୁ ବାଦ୍ ଦେଲେ ଅନ୍ୟ ବ୍ୟାଟସମ୍ୟାନ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ଭାରତୀୟ ବୋଲର ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ନେଇ ବାଂଲାଦେଶକୁ ଚାପରେ ରଖିବା ସହ ମ୍ୟାଚ୍‌କୁ ରୋମାଞ୍ଚକର ମୋଡକୁ ନେଇଥିଲେ। ନଜାମୁଲ ହୁସେନ ସାଣ୍ଟୋ(୦), ଅନାମୁଲ ହକ(୧୪) ସଅଳ ଆଉଟ୍ ହୋଇଥିଲେ। ମଧ୍ୟକ୍ରମରେ ସାକିକ ଉଲ ହାସନ ୨୯ ରନର ଉପଯୋଗ ଇନିଂସ ଖେଳିଥିଲେ ହେଁ ସ୍କୋରକୁ ଆଗକୁ ବଢାଇ ପାରିନଥିଲେ। ଅଧିନାୟକ ଲିଟନ ଦାସ ୪୧ ରନ କରି ଆଉଟ୍ ହେବା ବାଂଲାଦେଶକୁ ବଡ ଝଟକା ଦେଇଥିଲା। ମୁସଫିକର ରହିମ(୧୮) ଏବଂ ମହମୁଦଲ୍ଲା(୧୪) ପାଭିଲିୟନ ଫେରିଥିଲେ। ୧୩୬ ରନରେ ୯ ଓ୍ଵିକେଟ୍ ହରାଇ ବାଂଲାଦେଶ ପରାଜୟର ଦ୍ଵାର ଦେଶରେ ରହିଥିଲା।

ତେବେ ମେହଦି ହାସନ ମିର୍ଜା ଧୈର୍ଯ୍ୟର ସହ ବ୍ୟାଟିଂ କରି ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରିଥିଲେ। ସେ ମୁସ୍ତାଫିଜୁର ରେହମାନଙ୍କୁ ସାଥୀ କରି ଦଳକୁ ବିଜୟ ଆଡକୁ ନେଇଥିଲେ। ଶତଚେଷ୍ଟା ପରେ ବି ଭାରତୀୟ ବୋଲର ଏହି ଯୋଡିଙ୍କୁ ଆଉଟ୍ କରି ପାରିନଥିଲେ।ଶେଷରେ ମିର୍ଜା ଏବଂ ରେହମାନ ଅସମାପ୍ତ ୧୦ମ ଓ୍ଵିକେଟରେ ୫୧ ରନ ଯୋଡି ଦଳକୁ ଐତିହାସିକ ବିଜୟ ଦେଇଛନ୍ତି।ଭାରତୀୟ ବୋଲର ଦୀପକ ଚହର ୩୨ ରନ ଦେଇ ୧ ଓ୍ଵିକେଟ୍, କୁଲଦୀପ ସେନ ୩୭ ରନରେ ୨, ଓ୍ଵାଶିଂଟନ ସୁନ୍ଦର ୧୭ ରନରେ ୨ ଏବଂ ଶାର୍ଦ୍ଦୁଳ ଠାକୁର ୨୧ ରନରେ ୧ ଓ୍ଵିକେଟ୍ ନେଇଥିଲେ।

Related Articles

Back to top button