
ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମୁଖ୍ୟ ଚୟନକର୍ତ୍ତା ପଦରୁ ଚେତନ ଶର୍ମା ଶୁକ୍ରବାର ଇସ୍ତଫା ଦେଇଛନ୍ତି। ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ପାଖକୁ ଚେତନ ଶର୍ମା ଇସ୍ତଫା ପତ୍ର ପଠାଇଥିଲେ ଏବଂ ସେ ଏହାକୁ ଗ୍ରହଣ କରିଥିବା ସୂଚନା ମିଳିଛି। ଗତ ମାସରେ ଚେତନ ଶର୍ମାଙ୍କୁ ମୁଖ୍ୟ ଚୟନକର୍ତ୍ତା ଭାବରେ ପୁଣିଥରେ ନିଯୁକ୍ତ କରାଯାଇଥିଲା। ବିସିସିଆଇରେ ଏହା ଚେତନଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଥିଲା। କିନ୍ତୁ ତାଙ୍କୁ ୪୦ ଦିନ ମଧ୍ୟରେ ଇସ୍ତଫା ଦେବାକୁ ପଡିଲା। ଏହାପୂର୍ବରୁ ଟି-୨୦ ବିଶ୍ୱକପ୍ ପରେ ଟିମ୍ ଇଣ୍ଡିଆର ଖରାପ ପ୍ରଦର୍ଶନ ଯୋଗୁ ତାଙ୍କୁ ଏହି ପଦରୁ ହଟାଇ ଦିଆଯାଇଥିଲା।
ନିକଟରେ ଏକ ନ୍ୟୁଜ ଚ୍ୟାନେଲ ଚେତନ ଶର୍ମାଙ୍କ ଉପରେ ଏକ ଷ୍ଟିଙ୍ଗ ଅପରେଶନ କରିଥିଲା। ଷ୍ଟିଙ୍ଗ ଅପରେଶନରେ ଖେଳାଳିଙ୍କ ଫିଟନେସ ସମ୍ବନ୍ଧରେ ଚେତନ ଅନେକ ବଡ଼ ରହସ୍ୟ ପ୍ରକାଶ କରିଥିଲେ। ଏପରିକି ବିସିସିଆଇର ପୂର୍ବତନ ସଭାପତି ଏବଂ ଅଧିନାୟକଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ସେ ପ୍ରତିକ୍ରିୟା ଦେଇଥିଲେ। ଯାହାକୁ ନେଇ ସେ ବିବାଦ ଭିତରକୁ ଆସିଥିଲେ। ରିପୋର୍ଟ ଅନୁଯାୟୀ, ବିସିସିଆଇ ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେଷ୍ଟା କରିଥିଲା। ଏହା ପରେ ତାଙ୍କୁ ଇସ୍ତଫା ଦେବାକୁ ପଡିଲା।