ଫିଫା ବିଶ୍ବକପ୍‌: ଜାପାନକୁ ୩-୧ ଗୋଲ୍‌ରେ ହରାଇ କ୍ବାର୍ଟରଫାଇନାଲରେ କ୍ରୋଏସିଆ

ଅଲ୍‌ ୱାକ୍‌ରା : ଚଳିତ ଫିଫା ବିଶ୍ବକପ୍‌ରେ ସୋମବାର ପ୍ରଥମଥର ମ୍ୟାଚ୍‌ ଅତିରିକ୍ତ ସମୟକୁ ଯାଇଥିବା ବେଳେ ପ୍ରଥମଥର ମ୍ୟାଚ୍‌ର ଫଇସଲା ପେନାଲ୍‌ଟି ସୁଟ୍‌ଆଉଟ୍‌ ହୋଇଛି। ୫ମ ପ୍ରିକ୍ବାର୍ଟରଫାଇନାଲ ମ୍ୟାଚ୍‌ରେ ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ଜାପାନକୁ ୩-୧ ଗୋଲ୍‌ରେ ଗତଥରର ଚମ୍ପିଆନ୍‌ କ୍ରୋଏସିଆ ପରାସ୍ତ କରିଛି। କ୍ରୋଏସିଆ ଗୋଲ୍‌ରକ୍ଷକ ଡମିନିକ୍ ଲିଭାକୋଭିଚ୍‌ ୩ଟି ଗୋଲ୍‌ ରୋକି ଦଳର ବିଜୟରେ ହିରୋ ସାଜିଛନ୍ତି। ୫ମ ଦଳ ଭାବେ କ୍ରୋଏସିଆ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛି ଓ ଜାପାନ ୩ୟ ଥର ପ୍ରିକ୍ବାର୍ଟରଫାଇନାଲରୁ ବିଦାୟ ନେଇଛି।
ନିର୍ଦ୍ଧାରିତ ୯୦ ମିନିଟର ଖେଳ ୧-୧ ଗୋଲ୍‌ରେ ଶେଷ ହୋଇଥିଲା। ପରେ ୩୦ ମିନିଟ୍‌ର ଅତିରିକ୍ତ ସମୟ ଖେଳା ଯାଇଥିଲେ ମଧ୍ୟ ଏଥିରେ ଆଉ ଗୋଲ୍‌ ହୋଇନଥିଲା। ଫଳରେ ପେନାଲ୍‌ଟି ସୁଟ୍‌ଆଉଟ୍‌ ହୋଇଥିଲା। ଏଥିରେ ପ୍ରଥମେ ଜାପାନର ଟାକୁମି ମିନାମିନୋଙ୍କ ସଟ୍‌କୁ କ୍ରୋଏସିଆ ଗୋଲ୍‌ରକ୍ଷକ ଲିଭାକୋଭିଚ୍‌ ରୋକି ଦେଇଥିଲେ। କ୍ରୋଏସିଆର ନିକୋଲା ଭ୍ଲାସିଚ୍‌ ଗୋଲ୍‌ ଦେଇଥିଲେ। ଜାପାନର ୨ୟ ସଟ୍‌ କାଓରୁ ମିଟୋମା ମାରିଥିଲେ ହେଁ ଏହାକୁ ମଧ୍ୟ ​‌ଡମିନିକ୍ ଲିଭାକୋଭିଚ୍‌ ରୋକି ଦେଇଥିଲେ। କ୍ରୋଏସିଆର ମାର୍ସେଲୋ ବ୍ରୋଜୋଭିଚ୍‌ ଗୋଲ୍‌ଦେଇ ଦଳକୁ ୨-୦ରେ ଆଗୁଆ କରିଥିଲେ। ୩ୟ ପ୍ରୟାସରେ ଜାପାନର ଟାକୁମା ଆସାନୋ ଗୋଲ୍‌ ଦେଇଥିଲେ। କ୍ରୋଏସିଆର ମାର୍କୋ ଲିଭାଜାଙ୍କ ସଟ୍‌କୁ ଜାପାନ ଗୋଲ୍‌ରକ୍ଷକ ଗୋଣ୍ଡା ରୋକି ଦେଇଥିଲେ। ପରେ ଜାପାନର ମାୟା ୟୋସିଦାଙ୍କ ସଟ୍‌କୁ ଲିଭାକୋଭିଚ୍‌ ରୋକି ଦେଇଥିଲେ। କ୍ରୋଏସିଆ ପାଇଁ ୪ର୍ଥ ପ୍ରୟାସରେ ପାଲାସିଚ୍‌ ଗୋଲ୍‌ଦେଇ ଦଳକୁ ବିଜୟୀ କରିଥିଲେ।
ଲିଗ୍‌ ପର୍ଯ୍ୟାୟରେ ଦୁଇ ପୂର୍ବତନ ବିଶ୍ବ ଚମ୍ପିଆନ୍‌ ସ୍ପେନ୍‌ ଓ ଜର୍ମାନୀକୁ ପରାସ୍ତକରି ଜାପାନ ହଇଚଇ ସୃଷ୍ଟି କରିଥିଲା। ଗ୍ରୁପ୍‌ ଶୀର୍ଷରେ ରହି ଡାର୍କ ହର୍ସ ଭାବେ ଜାପାନ୍‌ ପ୍ରିକ୍ବାର୍ଟରରେ ପହଞ୍ଚିଥିଲା। ଅନ୍ୟପକ୍ଷରେ କ୍ରୋଏସିଆ ଲିଗ୍‌ ପର୍ଯ୍ୟାୟରେ ଅପରାଜିତ ରହିଥିଲେ ହେଁ ମରକ୍କୋ ପଛକୁ ୨ୟ ସ୍ଥାନରେ ରହି ରାଉଣ୍ଡ-୧୬ରେ ପହଞ୍ଚିଥିଲା। ମ୍ୟାଚ୍‌ର ପ୍ରଥମ କର୍ଣ୍ଣର ଜାପାନକୁ ମିଳିଥିବା ବେଳେ ଏହା ବେକାର ହୋଇଥିଲା। ଆକ୍ରମଣାତ୍ମକ ଫୁଟ୍‌ବଲ ଖେଳି କ୍ରୋଏସିଆକୁ ଚକିତ କରିଥିଲା ଜାପାନ। ୮ ମିନିଟରେ କ୍ରୋଏସିଆକୁ ପ୍ରଥମ ସୁଯୋଗ ମିଳିଥିଲା। ଜାପାନ ରକ୍ଷାପନ୍ଥୀଙ୍କ ତ୍ରୁଟିରୁ କ୍ରୋଏସିଆ ଗୋଲ୍‌ଦେବାର ସ୍ଥିତିରେ ଥିବା ବେଳେ ଜାପାନ ଗୋଲ୍‌ରକ୍ଷକ ସୁଇଚି ଗୋଣ୍ଡା ବଲ୍‌କୁ ଧରି ନେଇଥିଲେ। ୨୩ ମିନିଟ​‌େ​‌ର କ୍ରୋଏସିଆର ଲୁକା ମୋଡ୍ରିଚ୍‌ ମାରିଥିବା ଫ୍ରିକିକ୍‌ରୁ ବଲ୍‌ ପାଇ ଜୋସ୍କୋ ଗାର୍ଡିଓଲ୍‌ ସଟ୍‌ ମାରିଥି​‌େ​‌ଲ ହେଁ ଏହା ଗୋଲ୍‌ପୋଷ୍ଟ ଉପରେ ଚାଲି ଯାଇଥିଲା। ଏହିପରି ଉଭୟ ଦଳ ସୁଯୋଗ ପାଇଥିଲେ ହେଁ ପ୍ରଥମ ଅଧଘଣ୍ଟାରେ ଗୋଲ୍‌ ହୋଇନଥିଲା। ୪୨ ମିନିଟରେ ଜାପାନର ଡାଇଚି କାମାଡା ସୁଯୋଗ ପାଇଥିଲେ ହେଁ ପୋଷ୍ଟ ଉପରେ ସଟ୍‌ ମାରିଥିଲେ। ୪୩ ମିନିଟରେ ଜାପାନ ଗୋଲ୍‌ଦେଇ ଆଗୁଆ ହୋଇଥିଲା। ଗୋଲ୍‌ପୋଷ୍ଟ ସମ୍ମୁଖରେ ବଲ୍‌ ପାଇ ଜାପାନର ଡାଇଜେନ୍ ମାଏଡା ଗୋଲ୍‌ ଦେଇଥିଲେ। ଚଳିତ ବିଶ୍ବକପ୍‌ରେ ଜାପାନ ପ୍ରଥମେ ଗୋଲ୍‌ ଦେଇଥିଲା। ପ୍ରଥମାର୍ଦ୍ଧରେ ଜାପାନ ୧-୦ ଗୋଲ୍‌ରେ ଆଗୁଆ ଥିଲା। ଦ୍ବିତୀୟାର୍ଦ୍ଧରେ କ୍ରୋଏସିଆ ଗୋଲ୍‌ ସୁଝାଇବା ପ୍ରୟାସ କରିଥିବା ବେଳେ ଜାପାନ ମଧ୍ୟ ଦେଖାଇଥିଲା ଯେ ଏହା କାହାଠାରୁ କମ୍ ନୁହେଁ। ୫୫ ମିନିଟରେ ସୁଯୋଗ ପାଇଁ କ୍ରୋଏସିଆର ଇଭାନ୍ ପେରିସିଚ୍‌ ଗୋଲ୍‌ ସୁଝାଇ ଦେଇଥିଲେ। ଡେଜାନ୍ ଲେଭ୍ରେନ୍‌ଙ୍କ କ୍ରସ୍‌କୁ ହେଡ୍‌କରି ପେରିସିଚ୍‌ ଏହି ଗୋଲ୍‌ ଦେଇଥିଲେ। ୫୭ ମିନିଟରେ ଜାପାନର ୱାଟାରୁ ଏଣ୍ଡୋ ଦୂରରୁ ଏକ ଜୋର୍‌ଦାର ସଟ୍‌ ମାରିଥି​‌େ​‌ଲ ହେଁ କ୍ରୋଏସିଆ ଗୋଲ୍‌ରକ୍ଷକ ଡମିନିକ୍ ଲିଭାକୋଭିଚ୍‌ କୁଦାମାରି ଏହାକୁ ବାହାର କରି ଦେଇଥିଲେ। ୬୧ ମିନିଟରେ କ୍ରୋଏସିଆର ତାରକା ଖେଳାଳି ଲୁକା ମୋଡ୍ରିଚ୍‌ ଏକ ଚମତ୍କାର ସଟ୍‌ ମାରିଥିଲେ ହେଁ ଜାପାନ ଗୋଲ୍‌ରକ୍ଷକ ସୁଇଚି ଗୋଣ୍ଡା ବଲ୍‌କୁ ବାହାର କରି ଦେଇଥିଲେ। ଗୋଲ୍‌ ସୁଝାଇବା କ୍ରୋଏସିଆ ପାଇଁ ଟନିକ୍‌ ପରି କାମ କରିଥିଲା। ୬୬ ମିନିଟରେ ଜାପାନ ଗୋଲ୍‌ ସମ୍ମୁଖରେ କ୍ରୋଏସିଆର ଆଣ୍ଟେ ବ୍ୟୁଡିମିର ବଲ୍‌ ପାଇ ହେଡ୍‌ କରିଥିଲେ ହେଁ ବଲ୍‌ ଗୋଲ୍‌ପୋଷ୍ଟର ସାମାନ୍ୟ ବାହାରେ ଚାଲି ଯାଇଥିଲା। ୮୦ ମିନିଟରେ ଜାପାନର ଟାକେହିରୋ ​ଟୋମିୟାସୁ ସୁଯୋଗ ପାଇଁ ମଧ୍ୟ ଗୋଲ୍‌ ଦେଇ ପାରିନଥିଲେ। ନିର୍ଦ୍ଧାରିତ ସମୟର ଶେଷ କେଇ ମିନିଟରେ ଉଭୟ ଦଳ ଗୋଲ୍‌ଦେବାର ସେପରି ପ୍ରୟାସ କରିନଥିଲେ। ୩୦ ମିନିଟର ଅତିରିକ୍ତ ସମୟରେ ସେପରି ଆକର୍ଷଣୀୟ ଫୁଟ୍‌ବଲ ଦେଖିବାକୁ ମିଳିନଥିଲା। ଉଭୟ ଦଳର ଖେଳାଳି ଥକି ଯାଇଥିଲେ। ବୋଧହୁଏ ଉଭୟ ଦଳ ପେନାଲ୍‌ଟି ସୁଟ୍‌ଆଉଟ୍‌ ପାଇଁ ପ୍ରସ୍ତୁତି କରି ସାରିଥିଲେ।

Related Articles

Back to top button