ରାଜ୍ୟଗୋଷ୍ଠୀ କ୍ରୀଡା-୨୦୨୨ରୁ ନିଖୋଜ ହେଲେ ଶ୍ରୀଲଙ୍କାର ୧୦ ଜଣ ଖେଳାଳି, ବ୍ରିଟେନରେ ରହିବା ପାଇଁ ଯୋଜନା

ଆର୍ଥିକ ସଂକଟ ମଧ୍ୟରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗ ନେବାକୁ ଯାଇଥିବା ଶ୍ରୀଲଙ୍କାର ୧୦ ଜଣ ଖେଳାଳି ନିଖୋଜ ଅଛନ୍ତି । ଶ୍ରୀଲଙ୍କା ଟିମର ଅଧିକାରୀଙ୍କ ସୂଚନା ଅନୁସାରେ, ୯ ଜଣ ଆଥଲେଟ୍ ଏବଂ ଜଣେ ମ୍ୟାନେଜର ନିଜ-ନିଜ ଇଭେଣ୍ଟ ଶେଷ ପରଠୁ ଗାଏବ ଅଛନ୍ତି । ଅଧିକାରୀ ଜଣଙ୍କ କହିଛନ୍ତି, ଏହି ଖେଳାଳିମାନେ ଇଂଲଣ୍ଡରେ ରହିବା ଉଦ୍ଦେଶ୍ୟରେ ନିଖୋଜ ହୋଇଛନ୍ତି । ଖେଳାଳିମାନେ ସ୍ୱଦେଶକୁ ଫେରିବାକୁ ଚାହୁଁ ନଥିବା ସେ କହିଛନ୍ତି । ଏହାରି ଭିତରେ ଖେଳାଳିଙ୍କୁ ଖୋଜିବା ପାଇଁ ପୋଲିସରେ ଅଭିଯୋଗ କରାଯାଇଛି ।

ଗତ ସପ୍ତାହରେ ଜୁଡୋ ଖେଳାଳି ଚମିଲା ଡିଲାନୀ ନିଜ ମ୍ୟାନେଜର ଏସେଲା ଡି ସିଲଭା ଏବଂ କୁସ୍ତିଯୋଦ୍ଧା ସାନିଥ ନିଖୋଜ ଥିଲେ । ଏହାପରଠୁ ଶ୍ରୀଲଙ୍କା ଦଳର ଅନ୍ୟ ସାତ ଜଣ ଖେଳାଳି ନିଖୋଜ ହୋଇସାରିଛନ୍ତି । ଶ୍ରୀଲଙ୍କା ଦଳର ଅଧିକାରୀ ୧୬୦ ସଦସ୍ୟଙ୍କ ପାସପୋର୍ଟ ନିଜ ପାଖରେ ରଖିଥିଲେ, ଫଳରେ ଫେରିବା ସମୟରେ କୌଣସି ଅସୁବିଧା ହେବ ନାହିଁ । କିନ୍ତୁ କିଛି ଖେଳାଳି ରାଜି ହୋଇ ନଥିଲା । ଏବେ ପୋଲିସ ଅଧିକାରୀ ତଦନ୍ତ ପାଇଁ ଏହି ପାସପୋର୍ଟ ଗୁଡିକୁ ମାଗିଛନ୍ତି । ପୋଲିସ ଖେଳାଳିଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ପ୍ରୟାସ କରୁଛି ।

ଶ୍ରୀଲଙ୍କା ଖେଳାଳି ନିଖୋଜ ହେବାର ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଗତ ବର୍ଷ ଓସ୍ଲୋରେ ରେସଲିଂ ୱାର୍ଲଡ ଚାମ୍ପିୟନଶିପ ସମୟରେ ଦଳର ମ୍ୟାନେଜର ବିନା କୌଣସି ସୂଚନାରେ କେଉଁଆଡେ ଚାଲିଯାଇଥିଲେ । ସେହିପରି ୨୦୧୪ରେ ଏସିଆନ ଗେମ୍ସ ସମୟରେ ଶ୍ରୀଲଙ୍କାର ଦୁଇ ଖେଳାଳି ନିଖୋଜ ହୋଇଥିଲେ, ଯାହାଙ୍କ ବାବଦରେ କୌଣସି ସୂଚନା ମିଳି ନଥିଲା । ଏହା ପୂର୍ବରୁ ୨୦୦୪ ମସିହାରେ ନ୍ୟାସନାଲ ହ୍ୟାଣ୍ଡବଲ ଟିମ ଜର୍ମାନୀରେ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଇ ନିଖୋଜ ହୋଇଥିଲେ ।

Related Articles

Back to top button